କ୍ୱାର୍ଟର ଘଟଣା: ବବିଙ୍କର କିଛି ହବନି !

Share

ଦୁଇଦିନ ହେବ ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସରକାରୀ କ୍ୱାର୍ଟରକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି । କିଏ କହୁଛି ବବିଙ୍କ ନାଁରେ କେସ୍ ହେଉ ତ କିଏ କହୁଛି ବବିଙ୍କୁ ତୁରନ୍ତ ଗିରଫ କରାଯାଉ । କିନ୍ତୁ କାହା କଥାରେ ଏ ଦେଶରେ ବ୍ୟବସ୍ଥା ଚାଲେନାହିଁ । ଏ ଦେଶର ବ୍ୟବସ୍ଥା ଦେଶର ସମ୍ବିଧାନ ଓ ଆଇନ କାନୁନକୁ ନେଇ ଚାଲିଛି । ତେଣୁ ବବିଙ୍କ ନାଁରେ କେସ୍ ହେବା କି ଆଉ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ତାହା ଏ ସମ୍ବନ୍ଧିତ ଆଇନ ହିଁ ସ୍ଥିର କରିବ । ସେପଟେ ଆମ ଦେଶର ଆଇନ ଆପେ ଆପେ କାର୍ଯ୍ୟ କରେ ନାହିଁ । ଏଥିପାଇଁ ଅଭିଯୋଗ ହେବା ଦରକାର । ତେଣୁ ଯାହା ବି କିଛି ମିଡ଼ିଆରେ ଚାଲିଛି ତାହାର ଏକ୍ନୋଲୋଜମେଂଟକୁ ସ୍ୱୀକାର କରି କୌଣସି ପ୍ରାଧିକୃତ ଅଧିକାରୀ ହିଁ ଅଭିଯୋଗ କରିପାରିବେ କିମ୍ବା ସରକାର ସେହି ପ୍ରାଧିକୃତ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିପାରିବେ । ଏହାବ୍ୟତୀତ ଯାହା ବି କିଛି ମିଡ଼ିଆରେ ଚାଲିଛି ତାହା କେବଳ ଏକ ମିଡ଼ିଆ ଟ୍ରାଏଲ । ଯାହା ବବିଙ୍କ ପ୍ରତିଷ୍ଠାରେ କଳା ଛିଟା ପକାଇବା ବ୍ୟତୀତ ଆଉ କିଛି କରିପାରିବ ନାହିଁ । ସେପଟେ ବବିଙ୍କ ପାଇଁ ତାଙ୍କ ପଡୋଶୀ ରଘୁନନ୍ଦନ ଦାସ ବି ଏବେ ବିବାଦରେ । କିନ୍ତୁ ଆଇନ ଡିଗ୍ରୀ ହାସଲ କରିଥିବା ରଘୁନନ୍ଦନ ଯେ ଏ ବିବାଦରେ ସେମିତି କିଛି ପ୍ରଭାବିତ ହେବେ ନାହିଁ ବୋଲି କୁହାଯାଉଛି । କିନ୍ତୁ ତାଙ୍କ ପ୍ରତିଷ୍ଠାରେ କଳାଛିଟା ପକାଇବାରେ ମିଡ଼ିଆ ନିଶ୍ଚିତ ସକ୍ଷମ ହେବ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏହି ଘଟଣାରେ ବବିଙ୍କର କ’ଣ ହେବ । ଏ ନେଇ ଆଇନରେ କି ବ୍ୟବସ୍ଥା ଅଛି । ଯାହା ବି କିଛି ବେଆଇନ ନିର୍ମାଣ ହୋଇଛି ସେଥିପାଇଁ ବବି ଯେତିକି ଦାୟୀ ଆଉ କିଏ ତାଠୁ ଅଧିକ ଦାୟୀ ତାହାକୁ ନେଇ ଚର୍ଚ୍ଚା ହେବା ଉଚିତ୍ । ଅନ୍ୟପଟେ ଏ ନେଇ ସରକାର କି ଅନ୍ୟକେହି ପ୍ରୋପର ଫୋରମରେ ଅଭିଯୋଗ କରିଥିବା ନେଇ ସେତେଟା ଚର୍ଚ୍ଚା ହେଉନାହିଁ । ତେବେ ସରକାରୀ କ୍ୱାର୍ଟର ଦିଆଯିବାକୁ ନେଇ ଦେଶରେ ଏକ ଆଇନ ରହିଛି । ତାହା ହେଉଛି ପବ୍ଲିକ୍ ପ୍ରେମିସେସ୍ ଆକ୍ଟ । ଏହି ଆକ୍ଟ ଅନୁଯାୟୀ ନିଯୁକ୍ତ ହୋଇଥିବା ଇଷ୍ଟେଟ ଅଫିସର ଏସବୁ ଘଟଣା ପାଇଁ ଉତରଦାୟୀ । ଏହି ଆଇନର ଧାରା ୫(କ), ୫(ଖ) ଓ ୫(ଗ)ରେ ବେଆଇନ ନିର୍ମାଣ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି । ଧାରା ୫(କ)ରେ କୁହାଯାଇଛି ବିନା ଅନୁମତିର ସରକାରୀ ବାସଭବନ ପରିସରରେ କୌଣସି ନିର୍ମାଣ କରାଗଲେ ଇଷ୍ଟେଟ ଅଫିସର ସେସବୁକୁ ବାହାର କରିବା ପାଇଁ ୭ଦିନିଆ ନୋଟିସ ଦେବା କଥା । ଯଦି ୭ ଦିନ ଭିତରେ ସଂପୃକ୍ତ ବ୍ୟକ୍ତି ତାହାକୁ ବାହାର ନ କରନ୍ତି ତେବେ ଇଷ୍ଟେଟ ଅଫିସର ଏହାକୁ ବାହାର କରିବେ ଓ ସେଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଜମି ଖଜଣା ଆକାରରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଲଦି ଦିଆଯିବ । ସେହିପିର ଧାରା ୫(ଖ)ରେ ଏହି ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ମଧ୍ୟ ଇଷ୍ଟେଟ ଅଫିସରଙ୍କୁ ଅଧିକାର ଦିଆଯାଇଛି । ଧାରା୫(ଗ)ରେ ଏହି ବେଆଇନ ନିର୍ମାଣକୁ ସିଲ୍ କରିବା ପାଇଁ ଇଷ୍ଟେଟ ଅଫିସରକୁ ଅଧିକାର ଦିଆଯାଇଛି । ଏବଂ ଏହି ଆଇନର ଧାରା ୮ରେ ଏସବୁ କାର୍ଯ୍ୟ କରିବାକୁ ଇଷ୍ଟେଟ ଅଧିକାରୀଙ୍କୁ କ୍ଷମତା ବି ଦିଆଯାଇଛି । ତେଣୁ ସେ ଇଷ୍ଟେଟ ଅଧିକାରୀ କିଏ ? ତାଙ୍କ ନିକଟରେ ଅଭିଯୋଗ କିଏ ଓ କେବେ କରିଛି? ଅନ୍ୟପଟେ ଯାହା ବି କିଛି ଭଙ୍ଗାଯାଉଛି ତାହା ନିଜେ ଇଷ୍ଟେଟ ଅଧିକାରୀ କରୁନାହାନ୍ତି ତ ? ଯଦି ଏସବୁ ଭଙ୍ଗାରୁଜା ନିଜେ ଇଷ୍ଟେଟ ଅଧିକାରୀ କରାଇଥିବେ ବୋଲି ପରେ ବିବୃତି ଆସେ ତେବେ କ’ଣ ହେବ । ଏଥିରୁ ମୋଟାମୋଟି ସ୍ପଷ୍ଟ ଆଗକୁ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ସେଥିପାଇଁ ଅଧିକ ଦାୟୀ ରହିବେ ଇଷ୍ଟେଟ ଅଧିକାରୀ । ସେହିପରି ଯଦି ବି ଇଷ୍ଟେଟ ଅଧିକାରୀ କିଛି ଆଦେଶ ଜାରି କରନ୍ତି ତେବେ ସଂପୃକ୍ତ ଜିଲ୍ଲାର ଜିଲ୍ଳା ଜଜ୍‌ଙ୍କ ନିକଟରେ ଅପିଲ କରିବାର ବ୍ୟବସ୍ଥା ଅଛି । ସେହିପରି ଏହି ଆଇନରେ ସର୍ବାଧିକ ଦଣ୍ଡ ବ୍ୟବସ୍ଥାକୁ ଯଦି ଦେଖିବା ତେବେ ତାହା ୧ବର୍ଷ ରହିଛି । ତେଣୁ ଏହି ଘଟଣାରେ ବବି ମିଡ଼ିଆରେ ଚର୍ଚ୍ଚିତ ହେବା ବ୍ୟତୀତ ଆଉ ଯେ କିଛି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି ।