ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଭଦ୍ରକ ରାଜନୀତିରେ ଏକ ନୂଆ ସମୀକରଣ ତିଆରି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆଉ ସେହି ସମୀକରଣ ଭିତରେ ବିଜେପି ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରୁ କେତୋଟି ସିଟ୍ ହାତେଇବ ତାକୁ ନେଇ ନୂଆ ନୂଆ ଚର୍ଚ୍ଚା ଜୋର ଧରୁଛି । ସବୁଠି ଅଧିକ ଚର୍ଚ୍ଚାରେ ରହିଛି ବିଜେପି ରାଜ୍ୟ ସଭାପତି କେଉଁଠୁ ଲଢ଼ିବେ । କେଉଁଠି ଲଢ଼ିଲେ କ’ଣ ସମୀକରଣ ହେବ ତାହାକୁ ନେଇ ଆଜିର ଏହି ଚର୍ଚ୍ଚାଜିଲ୍ଲାର ୫ ବିଧାନସଭା କ୍ଷେତ୍ରରୁ ୨୦୧୯ ଓ ଉପନିର୍ବାଚନରେ କେବଳ ଧାମନଗର ସିଟ୍କୁ ବିଜେପି ନିଜ ଅକ୍ତିଆରକୁ ନେବାକୁ ସକ୍ଷମ ହୋଇଥିଲା । ଚର୍ଚ୍ଚା ହେଉଛି ଏଥର ବିଜେପି ସର୍ବନିମ୍ନ ୨ଟି ଓ ସର୍ବାଧିକ ୩ଟିରେ ବାଜିମାତ୍ କରିବାର ସମ୍ଭାବନା ରହିବ । କିନ୍ତୁ ବିଜେଡି ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ଭାବରେ ପ୍ରାର୍ଥୀ ଘୋଷଣା କଲା ସେଥିରୁ ଲାଗୁଛି ବିଜେଡି ବିଜେପିକୁ ଗୋଟିଏ ବି ବିଧାନଭା ସିଟ୍ ହାତଛଡା କରିବା ପରିସ୍ଥିତିରେ ନାହିଁ । ବାସୁଦେବପୁରରେ ବିଜେଡି ବିଧାୟକ ବିଷ୍ଣୁବ୍ରତଙ୍କୁ ପୁଣି ଟିକେଟ ମିଳିଛି । ସେଠାରେ କଂଗ୍ରେସ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ । ବର୍ତମାନ ରାଜ୍ୟରେ କଂଗ୍ରେସ ଯେଭଳି ପରିସ୍ଥିତି ଅଛି ତାହାର ନକରାତ୍ମକ ପ୍ରଭାବ ଯେ ଚାରିଆଡେ ନ ପଡ଼ିବ ଏହା କହିହେବ ନାହିଁ । ତେଣୁ ଏ ସିଟ୍ ବିଜେଡି ପାଇଁ ସୁରକ୍ଷିତ ହୋଇପାରେ । ଦ୍ୱିତୀୟରେ ଭଦ୍ରକ ବିଧାନସଭା । ଭଦ୍ରକ ବିଧାନସଭାରେ ବିଜେଡି ପ୍ରାର୍ଥୀ ପରିବର୍ତନ କରିଛି । ବର୍ତମାନର ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରିପୋଖରୀରୁ ଆଣି ଭଦ୍ରକରେ ପ୍ରାର୍ଥୀ କରାଯାଇଛି । ମଧୁବାବୁ ପେନସନ ଯୋଜନାର ଅଧ୍ୟକ୍ଷ ତଥା ଭଦ୍ରକର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ବିଦ୍ରୋହକୁ ଦମନ କରିବାକୁ ଦଳ ଏହି ନିଷ୍ପତି ନେଇଛି ବୋଲି ସ୍ପଷ୍ଟ ହେଉଛି । ଅସି୍ତଙ୍କ ପାଖରେ ସଂଖ୍ୟାଲଘୁ ସଂପ୍ରଦାୟର ଭୋଟରଙ୍କ ସମର୍ଥନ ରହିଥିଲା । ଯାହା ବଳରେ ସେ ମ୍ୟୁନିସିପାଲିଟି ନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀକୁ ଚ୍ୟାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ । କିନ୍ତୁ ଯେଉଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ସେ ଜିତାଇଥିଲେ ସେହି ସ୍ୱାଧୀନ ପ୍ରାର୍ଥୀଙ୍କର ପ୍ରଫୁଲ୍ଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ସହ ସୁସମ୍ପର୍କ ଅଛି ବୋଲି ଚର୍ଚ୍ଚା ହେଉଛି । ଫଳରେ ପ୍ରଫୁଲ୍ଲଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ବିଜେଡି ଏହି ସମସ୍ୟାର କିଛିଟା ସମାଧାନ କରିପାରିଛି । ଅନ୍ୟପଟେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ବିରୋଧ କରି ଅନେକ ଆଶାୟୀ ଟିକେଟ ପାଇଁ ଦାବିଦାର ସାଜିଥିଲେ । ପ୍ରଫୁଲ୍ଲଙ୍କ ପ୍ରାର୍ଥୀତ୍ୱ ପରେ ସେହି ସମସ୍ୟାଟିର ସମାଧାନ ବି ଆପାତତଃ ହୋଇଯାଇଛି । ଅନ୍ୟପଟେ ପୂର୍ବରୁ ମେଂଟ ସରକାର ଚାଲିଥିବା ବେଳେ ପ୍ରଫୁଲ୍ଲଙ୍କୁ ହରାଇଥିବା କଂଗ୍ରେସ ନେତା ନରେନ ପଲେଇଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି । ସଂଖ୍ୟାଲଘୁ ଭୋଟକୁ ହାତେଇବା ସହ ପ୍ରଫୁଲ୍ଲଙ୍କୁ ଚେକ୍ ଦେବାରେ ନରେନ ପଲେଇ ସମର୍ଥ ହେବେ ବୋଲି ଗୋଟିଏ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପିରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ପ୍ରଦୀପ ନାୟକ, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ ଓ ଭଗତ ସେନାର ମୁଖ୍ୟ ସୀତାଂଶୁ ଶେଖର ମହାପାତ୍ର ଟିକେଟ ପାଇଁ ଆଶାୟୀ । ବିଜେପି ହେମନ୍ତ ଓ ସୀତାଂଶୁଙ୍କୁ ମ୍ୟାନେଜ କରିପାରିବ କିନ୍ତୁ ପ୍ରଦୀପ ନାୟକ ଯେ ମ୍ୟାନେଜ ହେବା ଏହା କହିବା ଅସମ୍ଭବ । ଏଭଳି ପରିସ୍ଥିତିରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସଂଶୟ ରହିଛି । କିନ୍ତୁ ଯଦି ବିଜେପି ସମସ୍ତ ଆଶାୟୀଙ୍କୁ ଠିକ୍ ସେ ମ୍ୟାନେଜ କରିଦିଏ ଓ ଅନ୍ୟପଟେ ଅସିତ୍ ପଟ୍ଟନାୟକ କଂଗ୍ରେସ ସହ ସାମିଲ ହୋଇଯାଆନ୍ତି ତେବେ ବିଜେଡି ପାଇଁ ଅଡୁଆ ବଢ଼ିବା ଏକ ପ୍ରକାର ନିଶ୍ଚିତ । ତେଣୁ ଏହି ସିଟ୍ଟି ଯେ ବିଜେଡି ନିଶ୍ଚିତ ହାତେଇବ କହିହେବ ନାହିଁ । ଯଦି କଂଗ୍ରେସ ମଜ୍ବୁତ୍ ହୋଇ ଲଢ଼ିବ ତେବେ ବିଜେପି ପାଇଁ ତାହା ଓଲଟା ଫଳ ହୋଇପାରେ ଓ ବିଜେଡି ବାଜିମାତ୍ କରିବାର ସମ୍ଭାବନା ବୃଦ୍ଧି ପାଇବ । କିନ୍ତୁ ଏହି ସିଟ୍କୁ ଦଖଲ କରିବା ଉଦ୍ଦେଶ୍ୟରେ ରହିଛି ବିଜେପି ।ସେହିପରି ବିଜେଡି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରିଛି । ସେଠାରେ ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକ ଲଢ଼ିବାକୁ ନେଇ ଅନେକ ସଂଶୟ ଜାରି ରହିଛି । ଯଦି ନିରଞ୍ଜନ ନିରନ୍ତର ଲଢ଼ିପାରିବେ ତେବେ ବିଜେଡି ହାତରୁ ଏହି ସିଟ୍ ଖସି କଂଗ୍ରେସକୁ ସମ୍ଭାବନା ରହିବ । ଅନ୍ୟପଟେ ବିଜେପି ଏହି ସିଟ୍ ହାତେଇବାକୁ ହେଲେ ଖୋଦ୍ ମନମୋହନ ସାମଲଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ପଡ଼ିବ । କିନ୍ତୁ ମନମୋହନ ସାମଲ ଚାନ୍ଦବାଲି ଛାଡି ଭଣ୍ଡାରିପେଖାରୀ ପ୍ରାର୍ଥୀ ହେବାକୁ ରାଜି ହୋଇନପାରନ୍ତି । ଅନ୍ୟପଟେ ବିଜେଡି ବ୍ୟୋମକେଶ ରାୟଙ୍କୁ ଚାନ୍ଦବାଲିରେ ରିପିଟ୍ କରିଛି । ଚାନ୍ଦବାଲିରେ ବ୍ୟୋମକେଶଙ୍କୁ ଅନେକ ବିରୋଧ କରୁଥିଲେ ବି ମନମୋହନ ରାଜ୍ୟ ସାରାର ଦାୟିତ୍ୱ ନିଜ ମୁ୍ଣ୍ଡରେ ମୁଣ୍ଡାଇଥିବାରୁ ଏବଂ ଚାନ୍ଦବାଲିରେ ମନମୋହନଙ୍କ ଅନୁପସ୍ଥିତିରେ ତାଙ୍କ ଚେହେରା ହେବା ଭଳି ଅନ୍ୟ କୌଣସି ମନମୋହନ ତିଆରି କରିନଥିବାରୁ ଏଠାରେ ସଠିକ୍ ରଣନୀତି କରି ବାଜିମାତ କରିବା ବହୁକଷ୍ଟ ହୋଇପାରେ । ଯଦି ଚାନ୍ଦବାଲିରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିବା ଅମିତ ମଲ୍ଲିକ ବିଜେଡି ବିଦ୍ରୋହୀଙ୍କୁ କାବୁ କରିନେବେ ହୁଏତଃ ମନମୋହନ ସାମଲଙ୍କ ପାଇଁ ତାହା ଆର୍ଶୀବାଦ ପାଲଟିଯାଇପାରେ । ନଚେତ ବ୍ୟୋମକେଶଙ୍କୁ ହରାଇବା କଷ୍ଟ ହୋଇପାରେ । ଯଦି ମନମୋହନ ଚାନ୍ଦବାଲିରୁ ରାଜୁ ଦାସଙ୍କୁ ଛିଡା କରିପାରନ୍ତେ ତେବେ ହୁଏତ ବାହାରୁ ଥାଇ ବ୍ୟୋମକେଶଙ୍କୁ ହାରଇବା ସହଜ ହୋଇପାରନ୍ତା । କିନ୍ତୁ ବିଷ୍ଣୁ ସେଠୀଙ୍କ ଠାରୁ ଧୋକ୍କା ଖାଇବା ପରେ ମନମୋହନ ଆଉ କାହାକୁ ଯେ ନିଜ ଅଂଚଳରେ ଲିଫ୍ଟ ଦେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏଭଳି ପରିସ୍ଥିତିରେ ଉଭୟ ଭଣ୍ଡାରିପୋଖରୀ ଓ ଚାନ୍ଦବାଲିରେ ବିଜେପି ଯେଉଁ ସ୍ୱପ୍ନ ଦେଖିଛି ତାହା ସ୍ୱପ୍ନରେ ରହିଯାଇପାରେ । ଆଉ ପୂର୍ବପରି କେବଳ ଧାମନଗର ସିଟ୍ରେ ବିଜେପି ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇପାରେ । ଅନ୍ୟପଟେ ଧାମନଗରରେ ବିଜେଡି ନୂଆ ପ୍ରାର୍ଥ ଦେଇଥିବାବେଳେ ସାଂସଦ ମଞ୍ଜୁଲତା ମଣ୍ଡଳ ଯେ ଏହି ନୂଆଁ ମୁହଁକୁ ସହଯୋଗ କରିବେ ତାହାର କିଛି ଗ୍ୟାରେଂଟ ନାହିଁ । ତେବେ ବର୍ତମାନ ପରିସ୍ଥିତିରେ ଭଦ୍ରକ ଜିଲ୍ଲା ବିଧାୟକ ସିଟ୍ ରାଜନୀତି ଗଣିତ ଅଡୁଆ ପରିସ୍ଥିତିରେ ରହିଛି । ଉଭୟ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଯାଇ ସମୀକରଣ କିଛିଟା ସ୍ପଷ୍ଟ ହୋଇପାରେ ।

