ଏହାକୁ ନେଇ କେବଳ ଧର୍ମଶାଳା ନୁହେଁ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ବିଜେପି ନେତ୍ରୀ ସ୍ମୃତି ରେଖା ପହି ଖଣି ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ଯେ କିଛି କ୍ରସର ମାଲିକ ବେଆଇନ ଭାବେ ଲୁଟ୍ କରି ରଖିଥିବା କଳାପଥର କଂଚାମାଲକୁ ବ୍ୟବହାର କରି କ୍ରସର ଚାଲୁ କରିବା ପାଇଁ ଯୋଜନା କରୁଛନ୍ତି । ଚାନ୍ଦା ନେଇ ସେମାନଙ୍କୁ ଏପରି କରିବାକୁ ପ୍ରୋତ୍ସାହିତ କରାଯାଉଛି । କିନ୍ତୁ କିଏ ସେ ବ୍ୟକ୍ତି ଯିଏ ପ୍ରୋତ୍ସାହନ ଦେଉଛନ୍ତି, ସେ କଥା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଗତ ଜୁନ୍ ୨୮ ତାରିଖରେ କୁଆଡେ ନବ ନିର୍ବାଚିତ ବିଧାୟକ ହିମାଂଶୁ ସାହୁ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗକୁ ଧର୍ମଶାଳାର ଲଘୁ ଖଣିଜ ଅଂଚଳରୁ ବେଆଇନ ଖନନ ଓ ପରିବହନ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଥିଲେ । ବିଧାୟକଙ୍କ ଚିଠିର ୧୫ ଦିନ ନ ପୁରୁଣୁ ବିଜେପି ନେତ୍ରୀ ଖଣି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପୁରା ଧର୍ମଶାଳା ରାଜନୀତିକୁ ସରଗରମ କରିଛି । ସାଧାରଣରେ ଦେଖିବାକୁ ଗଲେ ଉଭୟ ବିଜେପି ନେତ୍ରୀ ଓ ନିର୍ବାଚିତ ବିଧାୟକ ବେଆଇନ ଖଣିକୁ ନେଇ ସ୍ୱର ଉତୋଳନ କରୁଛନ୍ତି । କିନ୍ତୁ ଟିକିଏ ଭିତରକୁ ଗଲେ ଜଣାପଡ଼ୁଛି ଉଭୟଙ୍କ କଥା ସମାନ ନୁହେଁ । ବଡ଼ ରୋଚକ କଥା ହେଉଛି କ୍ଷମତାରେ ଥିବା ବିଧାୟକଙ୍କୁ ଜଗିବା ପାଇଁ ବିରୋଧୀ ବିଜେଡି ଯେତିକି ତତ୍ପର ନୁହେଁ ଶାସକ ବିଜେପିର ପରାଜିତ ନେତ୍ରୀ ତା’ଠୁ ଢ଼େର ଅଧିକ ତତ୍ପର । ଯଦିଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ନିର୍ବାଚନ ଜିତିବା ପରେ ବିଧାୟକ ହିମାଂଶୁ ବିଜେପି ସହିତ ଅଛନ୍ତି । ଅର୍ଥାତ ଧର୍ମଶାଳାରେ ବିଜେପି-ବିଜେପି ଭିତରେ କଡା ଟକ୍କର ଚାଲିଛି । କିନ୍ତୁ ଚକିତ କଲା ଭଳି କଥା ହେଉଛି ଅତି ଚତୁରତାର ସହିତ ବିଜୟୀ ବିଧାୟକ ଖଣିଚୋରଙ୍କୁ ସହାୟତା କରୁଥିବା ନେଇ ପରୋକ୍ଷରେ ଅଭିଯୋଗ ହେଉଛି । ବିଧାୟକ ଖଣି ବିଭାଗକୁ ଚିଠି ଲେଖି ବେଆଇନ ଖଣି ଓ ପରିବହନ ଉପରେ ଅଙ୍କୁଶ ଲଗାଇବାକୁ ଚିଠି ଲେଖିଥିଲେ ବି ପୂର୍ବରୁ ଯେଉଁମାନେ କଳାପଥର ଲୁଟ୍ କରି ଗଚ୍ଛିତ ରଖିଥିଲେ ସେମାନଙ୍କୁ କ୍ରସର ଚଲାଇ ସେ ସବୁକୁ ରଫାଦଫା କରିବାକୁ ବିଧାୟକ ପ୍ରୋତ୍ସାହିତ କରୁଥିବା ନେଇ ସ୍କୃତିରେଖା ପରୋକ୍ଷରେ ଅଭିଯୋଗ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦିଓ ସ୍ମୃତିରେଖା କାହାର ନାଁ ନେଇ ନାହାନ୍ତି । କିନ୍ତୁ ଗୋଟିଏ ନିର୍ବାଚନମଣ୍ଡଳୀରେ ନିର୍ବାଚିତ ବିଧାୟକଙ୍କ ବିନା ଅନୁମତିରେ କିଛି ବି ହୋଇପାରିବ ନାହିଁ । ଅନ୍ୟପଟେ ଦେଖିବାକୁ ଗଲେ ଅନେକ କ୍ରସର ବି ଖୁଲମଖୁଲା ଚାଲିଲାଣି । ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ସ୍ମୃତିରେଖା । ବର୍ତମାନ ପରିସ୍ଥିତିରେ ଏପରି ଲାଗୁଛି ଖଣି ଚୋର ଓ ବେଆଇନ ଭାବେ କଳାପଥର ରଖିଥିବା ଲୋକଙ୍କୁ କ୍ଷମତାରେ ଥିବା କେହି ନା କେହି ସମର୍ଥନ ଦେଉଛନ୍ତି । ଯଦି ଧର୍ମଶାଳାରେ ଏପରି ଘଟୁଥାଏ ତେବେ ବିଜେଡି ସମୟରେ ଯେଉଁ ଖଣିକୁ ନେଇ ଧର୍ମଶାଳାରେ ଏତେ ତୁମ୍ବିତୋଫାନ ହେଉଥିଲା । ସେହି ସମାନ ଜିନିଷକୁ ବର୍ତମାନ କ୍ଷମତାରେ ଥିବା ଲୋକମାନେ ସମର୍ଥନ କରୁଛନ୍ତି ବୋଲି କୁହାଯିବ । ଅର୍ଥାତ ସତା ପରିବର୍ତନ ହୋଇଥିଲେ ବି ବେଆଇନ ବ୍ୟବସାୟୀମାନେ ଏବେ ପୁଣି କ୍ଷମତା ସହିତ ମିଶିବାକୁ ଯାଉଛନ୍ତି । ଅର୍ଥାତ ବିଜେଡି ସମୟରେ ଯେପିର ଖଣି ଲୁଟ୍ ହେଉଥିଲା ଠିକ୍ ସେହିପରି ଆଉ କିଛି ଦିନ ପରେ ଧର୍ମଶାଳାରେ ସମାନ ଜିନିଷ ଦେଖିବାକୁ ମିଳିପାରେ । ଆଉ ଯେଉଁକଥାକୁ ଏବେ ବିଜେପି ନେତ୍ରୀ ସ୍ମୃତିରେଖା ପହି ଗଣ୍ଠି ପକାଇ ରଖିଛନ୍ତି । ତେଣୁ ସବୁଠୁ ବଡ଼ କଥା ହେଉଛି ସ୍ମୃତିରେଖା ପହିଙ୍କ ଏହି ଅଭିଯୋଗକୁ କିଏ ଶୁଣିବ । ରାଜ୍ୟରେ ଥିବା ବିଜେପି ସରକାର କାହା କଥାକୁ ଅଧିକ ଗୁରୁତ୍ୱ ଦେବେ । ନା ଆଗାମୀ ଦିନରେ ଏହାକୁ ନେଇ କିଛି ବୁଝାମଣା ହୋଇଯିବ । ଯଦି ବୁଝାମଣା ହୋଇଯାଏ ତେବେ ଲଙ୍କାକୁ ଯିଏ ଗଲା ସିଏ ରାବଣ ସଦୃଶ କଥା ଧର୍ମଶାଳାରେ ଦେଖିବାକୁ ମିଳିବ ନାହିଁ ତ? ପୁଣିଥରେ କଳାପଥର ଲୁଟ୍ର ଲମ୍ବା ଅଭିଯୋଗ ଦେଖିବାକୁ ମିଳିବ ନାହିଁ ତ ? ଯଦି ଏପରି ହୁଏ ତେବେ ଧର୍ମଶାଳାବାସୀ ଗତ ନିର୍ବାଚନରେ ଭୁଲ୍ କଲେ ନା ଠିକ୍ କଲେ ତାହାକୁ ନେଇ ଆସନ୍ତା ୫ବର୍ଷ ଯାକ ସମୀକ୍ଷା କରିବେ ବୋଲି ଚର୍ଚ୍ଚା ହେଉଛି ।