ଭଦ୍ରକ: ନୂତନ ଖାଉଟି ସୁରକ୍ଷା ଆଇନ ୨୦୧୯ ଆସିବା ପରେ ଭଦ୍ରକ ଜିଲ୍ଳାରେ ଉପଭୋକ୍ତାମାନଙ୍କର ଅଭିଯୋଗ ଶୁଣାଣି ପ୍ରକ୍ରିୟା ଅତ୍ୟନ୍ତ ସହଜ ହୋଇଛି । ଫଳରେ ଜିଲ୍ଲା ଉପଭୋକ୍ତା କମିଶନରେ ଅଧିକ ସଂଖ୍ୟକ କେସ୍ ପଞ୍ଜୀକୃତ ହେବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଜିଲ୍ଲାରେ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ଦିନକୁ ଦିନ ସ୍ଥାଣୁ ପାଲଟି ଯାଉଛି । ଫଳରେ କେବଳ ସଚେତନ ଖାଉଟିମାନେ ଏହି ନୂତନ ଆଇନ ବଳରେ ନିଜର ଅଧିକାରକୁ ସାବ୍ୟସ୍ତ କରିବାରେ ସକ୍ଷମ ହେଉଛନ୍ତି । କିନ୍ତୁ ଅଳ୍ପଶିକ୍ଷିତ, ଅପାଠୁଆ ଗ୍ରାହକମାନେ ଆଜି ଶୋଷଣର ଶିକାର ହେଉଥିବା ଦେଖାଯାଉଛି । ଆଉ ଏଥିପାଇଁ ଜିଲ୍ଲାରେ ଥିବା ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟର ଅଧିକାରୀଙ୍କୁ ଦାୟୀ କରାଯାଉଛି । ଅନ୍ୟପଟେ ଏହି କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ରହିବା ଓ ଦୀର୍ଘଦିନ ଧରି ଭଡାଘରେ ଅଫିସ ଚାଲିବା ଯୋଗୁଁ ଜିଲ୍ଲାରେ ଅନେକ ଖାଉଟି ଶୋଷଣର ଶିକାର ହେଉଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏହି ବିଭାଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନ ଦେଇ କେବଳ ଖାଉଟି ସୁରକ୍ଷା ଦିବସ ପାଳନ କରିବା ଧର୍ମକୁ ଆଖିଠାର ସଦୃଶ ବୋଲି ଅନକେ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ବିଗତ ବର୍ଷମାନଙ୍କରେ ଏହି ବିଭାଗ ଦ୍ୱାରା ବିଭିନ୍ନ ପେଟ୍ରାଲ ପମ୍ପ ଓ ସୁନା ଦୋକାନରେ ହୋଇଥିବା ଚଢ଼ଉର ତଥ୍ୟକୁ ଅନୁଧ୍ୟାନ କଲେ ଲାଗୁଛି ଜିଲ୍ଲାବାସୀଙ୍କ ଠାରୁ ଅନେକ ଅସାଧୁ ବ୍ୟବସାୟୀ କୋଟି କୋଟି ଟଙ୍କାର ଲୁଟ୍ କରୁଥିବାବେଳେ ମାତ୍ର ହାତଗଣତି କେଇଜଣକୁ ଧରି ନାମକୁ ମାତ୍ର ଫାଇନ କରାଯାଉଛି । ଯାହା ସମୁଦ୍ରର ଶଙ୍ଖେ ପାଣି ସଦୃଶ । ସୂଚନା ମୁତାବକ, ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟେ ଜିଲ୍ଲା ବୈଧ ମାପ ବିଜ୍ଞାନ ଅଧିକାରୀ ମାତ୍ର ୧୯ ଥର ବିଭିନ୍ନ ସୁନା ଦୋକାନରେ ଚଢ଼ଉ କରିଛନ୍ତି । ମାପରେ ହେରଫେର କରିଥିବା ଜଣାପଡ଼ିବା ପରେ ଜଣେ ବ୍ୟବସାୟୀଙ୍କୁ ୮ହଜାର ଟଙ୍କା, ଅନ୍ୟ ଜଣେ ବ୍ୟବସାୟୀଙ୍କୁ ୫ହଜାର ଟଙ୍କା ଫାଇନ କରାଯାଇଥିବାବେଳେ ବାକି ବ୍ୟବସାୟୀଙ୍କ ଉପରେ ୨ହଜାର ଟଙ୍କାରୁ କମ୍ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି । କିନ୍ତୁ ସେମାନଙ୍କର ମାପ ହେରଫେର ଯୋଗୁଁ ଗ୍ରାହକ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ସେହିପରି ୨୦୧୮ରୁ ୨୦୨୩ ମଧ୍ୟରେ ମାତ୍ର ୨୬ ଥର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି । ଦୈନିକ ଶହ ଶହ ଲୋକ ପେଟ୍ରୋଲ ପମ୍ପ ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତ୍ୟେକଙ୍କୁ ମାପ ହେରଫେର ଅଭିଯୋଗରେ ମାତ୍ର ୫ହଜାର ଟଙ୍କା ଫାଇନ କରି ଛାଡିଦିଆଯାଇଛି । ଏହି ତଥ୍ୟକୁ ଦେଖିଲେ ଲାଗୁଛି ଜିଲ୍ଲାରେ ମାପ ହେରଫେର ବ୍ୟାପକଭାବେ ଚାଲୁଛି । କିନ୍ତୁ ପ୍ରଶାସନ ଏହାକୁ ଅତ୍ୟନ୍ତ ହାଲୁକା ଭାବରେ ନେଇ ଗ୍ରାହକଙ୍କୁ ଲୁଟି ହେବାକୁ ଛାଡିଦେଇଛି । ବିଭାଗର ଏତାଦୃଶ କାର୍ଯ୍ୟପାଇଁ ପ୍ରଶାସନ ଦ୍ୱାରା ଖାଉଟି ସୁରକ୍ଷା ଏକ ପ୍ରହସନ ପାଲଟିଛି ବୋଲି ଚର୍ଚ୍ଚା ହେଉଛି । ବିଶ୍ୱ ଖାଉଟି ଦିବସରେ ଏସବୁ ତଥ୍ୟକୁ ସହରର ଅନେକ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପେଟେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଉପନିୟନ୍ତ୍ରକ, ବୈଧ ମାପ ବିଜ୍ଞାନ ଭଦ୍ରକ କାର୍ଯ୍ୟାଳୟର ସଂଯୋଜନାରେ ଇଚ୍ଛାପୁର, ଭଦ୍ରକର ସଂଗଠନ ‘ପେଡ଼଼’ ଦ୍ୱାରା ଆୟୋଜିତ ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ଦିବସ ଜିଲ୍ଲା ସଂସ୍କୃତି ଭବନରେ ପାଳିତ ହୋଇଯାଇଛି । ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଲିଙ୍ଗରାଜ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂପୃକ୍ତ ବିଭାଗୀୟ ସେବା ପ୍ରଦାନରେ ଖାଉଟିମାନେ କିପରି ସଚେତନ ହେବେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଉପଭୋକ୍ତା କମିଶନ୍ ର ସଭାପତି ଆଇନଜ୍ଞ ଶିବ ପ୍ରସାଦ ମହାନ୍ତି ଖାଉଟି ସୁରକ୍ଷା ଆଇନ କେତେ ସରଳ, ଏହାର ଆଶ୍ରୟ ନେବା କେତେ ସହଜ, ଅଭିଯୋଗ ଦାଖଲ କରିବାର ତରିକା, ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶୁଳ୍କ ଅଭିଯୋଗ ଦାଖଲ ବ୍ୟବସ୍ଥା, ଘରେବସି ଅନ୍ଲାଇନ୍ରେ ପୁଣି ଖାଉଟିର ଇଚ୍ଛାମୁତାବକ ଯେକୌଣସି ସ୍ଥାନରେ ଥାଇ ଅଭିଯୋଗ ଦାଖଲ କରିପାରିବାର ସୁବିଧା, ୩ ମାସ ମଧ୍ୟରେ ଅଭିଯୋଗ ଫଇସଲା ହେବାର ଧାର୍ଯ୍ୟ ଅବଧି, ଓକିଲ କିମ୍ବା ବିନା ଓକିଲ ସାହାଯ୍ୟରେ ସାମାନ୍ୟ ହାତଲେଖା ଦରଖାସ୍ତ ଜରିଆରେ ଅଭିଯୋଗ ଦାଖଲ ପାଇଁ ଥିବା ସୁଯୋଗ ଆଦି ବିଷୟରେ ପଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୁଦତ୍ତ ଦାସ, ଆଇନଜ୍ଞ ବିଷ୍ଣୁମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ସୁରକ୍ଷା ନେଇ ସଂପୃକ୍ତ ବିଭାଗୀୟ ସଚେତନତା, ଆଇନ୍ର ଉପାଦେୟତା, ଖାଉଟି ଅଧିକାର ଜାହିର ପାଇଁ ସଚେତନତା କେତେ ଜରୁରୀ ଆଦି ବିଷୟରେ ବକ୍ତବ୍ୟ ରଖିଥିଲେ । ସବଶେଷରେ କାର୍ଯ୍ୟକ୍ରମର ଆୟେ।।ଜକ ପେଡ଼ ସଂଗଠନର ସମ୍ପାଦକ ଦିବାକର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ଅଧ୍ୟକ୍ଷ କାର୍ତ୍ତିକ ଜେନା, କୋଷାଧ୍ୟକ୍ଷ, ଜଗତଜ୍ୟୋତି ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

