ପାରଳାରେ ବିଜୟ ପାଇବେ ତ ?

Share

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ଉଷ୍ଣତା ଅନ୍ୟ ନିର୍ବାଚନମଣ୍ଡଳୀଠାରୁ ଢ଼େର୍ ଅଧିକ । ଆଗାମୀ ନିର୍ବାଚନରେ କିଏ ଜିତିବ ସେ କଥା ଛାଡନ୍ତୁ, କିଏ କେଉଁ ଦଳରୁ ଟିକେଟ ପାଇବେ ତାକୁ ନେଇ ଦିନକୁ ଦିନ ନୂଆ ସମୀକରଣ ହେଉଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସେଠାରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଏହି ଆସନ ଅକ୍ତିଆର କରିବାକୁ ରୋଡ ମ୍ୟାପ୍ ପ୍ରସ୍ତୁତ କରିସାରିଥିବା ଶାସକ ବିଜେଡିର ପୁରୁଣା ଅଙ୍କ ଏପାଖ ସେପାଖ ହୋଇଯାଇଛି । ତେଣୁ ଶାସକ ବିଜେଡି ନୂଆ ଅଙ୍କ କଷିବାରେ ଲାଗିଛି । କେବଳ ଶାସକ ବିଜେଡି ଯେ ନୂଆ ଅଙ୍କ କଷୁଛି ତା ନୁହେଁ, ୨୦୧୯ରେ ଏହି ଆସନ ଜିତିଥିବା ବିଜେପି ପାଇଁ ଅଙ୍କ କଷିବା କଷ୍ଟ ହେବାରେ ଲାଗିଲାଣି । ସେପଟେ ଲୁପ୍ତ ପ୍ରାୟ ଦେଖାଯାଉଥିବା କଂଗ୍ରେସ ବିଜୟ ପଟ୍ଟନାୟକଙ୍କ ଆଗମନରେ ପୁରା ଆକ୍ଟିଭ୍ ମୋଡକୁ ଆସିଯାଇଛି । କେବଳ ଯେ ଆକ୍ଟିଭ୍ ମୁଡ୍କୁ ଆସିଛି ତା ନୁହେଁ ବରଂ କଂଗ୍ରେସରେ ଘର ୱାପସି ହେଉଥିବା ଦେଖାଗଲାଣି । ବିଜେଡି ଓ ବିଜେପିକୁ ଚାଲିଯାଇଥିବା ତୃଣମୂଳସ୍ତରୀୟ କଂଗ୍ରେସ ନେତା ପୁଣି ଥରେ କଂଗ୍ରେସକୁ ଫେରିବା ଆରମ୍ଭ କରିଥିବାରୁ ଏହା ଉଭୟ ବିଜେଡି ଓ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ଯଦି ପ୍ରଥମେ ଆମେ ପୂର୍ବ ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କରିବା ତେବେ ୨୦୦୯ରେ ବିଜେଡିରୁ ପ୍ରାର୍ଥୀ ହୋଇ କେ. ନାରାୟଣ ରାଓ କଂଗ୍ରେସର ଟାଣୁଆ ନେତା ତ୍ରିନାଥ ସାହୁଙ୍କୁ ପରାଜିତ କରିଥିଲେ । ସେତେବେଳେ ବିଜେପି ମାତ୍ର ୫% ଭୋଟରେ ସିମୀତ ଥିଲା । ତ୍ରିନାଥ ସାହୁଙ୍କର ୨୦୦୯ରେ ଦେହାନ୍ତ ପରେ ୨୦୧୪ରେ କଂଗ୍ରେସ ଦଳ ତରଫରୁ ସେନାରୁ ଅବସର ନେଇଥିବା କେ. ସୂର୍ଯ୍ୟା ରାଓ ଏଠାରୁ ପ୍ରାର୍ଥୀ ହେଲେ । ତେଲୁଗୁ ସଂପ୍ରଦାୟଙ୍କ ବିପୁଳ ସମର୍ଥନ ଯୋଗୁଁ ପୂର୍ବ ନିର୍ବାଚନ ଅପେକ୍ଷା ଅଧିକ ୬.୫% ଭୋଟ୍ ପାଇ କଂଗ୍ରେସ ଜିତିଥିବାବେଳେ ବିଜେଡିର ୭% ଭୋଟ କମିଯାଇଥିଲା । କିନ୍ତୁ ୨୦୧୯ରେ କଂଗ୍ରେସରେ କନ୍ଦଳ ଯୋଗୁଁ ହାଇଟେକ୍ ଗ୍ରୁପର ଚେୟାରମ୍ୟାନ ଡ. ତିରୁପତି ପାଣିଗ୍ରାହୀ ସ୍ୱାଧୀନରୂପେ ନିର୍ବାଚନ ଲଢ଼ିଲେ । ଫଳରେ କଂଗ୍ରେସ ଭୋଟ ଦୁଇଭାଗ ହୋଇଗଲା । ସେପଟେ ବିଜେଡି ନେତା କେ ନାରାୟଣ ରାଓ ଟିକେଟ ନ ଦେବାରୁ ସେ ଦଳଛାଡି ବିଜେପିରେ ଯୋଗଦେଲେ । ଫଳରେ ବିଜେଡି ପାଇଁ ଏହି ନିଷ୍ପତି ଘାତକ ସାଜିଲା । ସେପଟେ ବିଜେଡି କଲ୍ୟାଣୀ ଗଜପତିଙ୍କୁ ପ୍ରାର୍ଥୀ କଲା । କଂଗ୍ରେସରେ ଫାଟ ଓ ବିଜେଡିର ଦୁର୍ବଳ ପ୍ରାର୍ଥୀ ଯୋଗୁଁ ବିଜେପି ବିଜୟ ଲାଭ କଲା । ଯେତେବେଳେ ବର୍ତମାନର ବିଧାୟକ କେ ନାରାୟଣ ରାଓ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ । ସେତେବେଳେ ତାଙ୍କ ସହ ୩୦ଜଣ ସଂରପଚ, ୩୨ଜଣ ସମିତି ସଭ୍ୟ ଓ ୩ଜଣ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବିଜେପିରେ ମିଶିଥିଲେ । ଯେଉଁଥିପାଇଁ କେ ନାରାୟଣ ରାଓ ବିଜୟ ଲାଭ କଲେ ଓ ବିଜେପି ଏହି ଆସନକୁ ଅକ୍ତିଆରକୁ ନେବାରେ ସଫଳ ହେଲା ।
କିନ୍ତୁ ଗତ ସାଢ଼େ ୪ ବର୍ଷରେ ବିଜେପି ବିଧାୟକ ଏହି ଅଂଚଳରେ ଆଖିଦୃଶିଆ କାର୍ଯ୍ୟ କରିପାରିନଥିବା ଚର୍ଚ୍ଚା ହେଉଛି । ଏପରିକି ଗତ ପାଂଚୟତ ଓ ପୋ÷ର ନିର୍ବାଚନରେ ବିଜେପି କ୍ଷମତାରେ ଥାଇ ବି ଆଶାନୁରୂପ ସଫଳତା ପାଇପାରିନାହିଁ । ବିଜେପି ବିଧାୟକଙ୍କ ନିଜ ଅଂଚଳ କାଶୀନଗରରେ ମାତ୍ର ୨ଟି ସରପଂଚ ଜିତିବା ଓ ଏନଏସିରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ତାଙ୍କର ବିଫଳତାକୁ ପଦାରେ ପକାଇଛି । ଅନ୍ୟପଟେ ପାରଳାଖେମୁଣ୍ଡିରେ ବିଜେପି ୩ ଭାଗ ହୋଇ ବୁଲୁଥିବା ଶୁଣିବାକୁ ମିଳୁଛି । ଅନେକ ବିଜେପି କର୍ମୀ ରାଜ୍ୟ ବିଜେପିର ନୂତନ ସଭାପତି ମନମୋହନ ସାମଲଙ୍କୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିବା ଚର୍ଚ୍ଚା ହେଉଛି । କିଛି ଜୁଏଲ ଓରାମଙ୍କ ସମର୍ଥକ କହୁଥିବାବେଳେ କିଛି ଯୁବଗୋଷ୍ଠୀ ଅପରାଜିତାଙ୍କ ସମର୍ଥକ ବୋଲି କହିବୁଲୁଥିବା ଶୁଣିବାକୁ ମିଳୁଛି । ଗତ ନିର୍ବାଚନରେ କଂଗ୍ରେସ କଳି ଓ ବିଜେଡି ନେତା ବିଜେପିରେ ଯୋଗଦେବାପରେ ବିଜେଡି ଉପଯୁକ୍ତ ପ୍ରାର୍ଥୀ ଦେଇନପାରିବା କାରଣରୁ ବିଜେପି ଜିତିଥିବା କୁହାଯାଉଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ବିଜେପି ସେପରି ପ୍ରଦର୍ଶନ କରିପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ତେଲୁଗୁ କରଣ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ତେଲୁଗୁ ସଂପ୍ରଦାୟ ପ୍ରବଳ ସମର୍ଥନ ଦେବେବୋଲି ଚର୍ଚ୍ଚା ହେଉଛି । କିନ୍ତୁ ପୂର୍ବରୁ ସମସ୍ତ ଟାଣୁଆ କଂଗ୍ରେସ ନେତା ଦଳ ଛାଡି ବିଜେଡିକୁ ଚାଲିଯାଇଥିବାରୁ ବିଜୟଙ୍କୁ ପୁରା ମୂଳରୁ କଂଗ୍ରେସ ସଂଗଠନ ତିଆରି କରିବାକୁ ପଡ଼ିବ । ସେପଟେ ହାତରେ କମ୍ ସମୟ । ଯଦିଓ ପାରଳାଖେମୁଣ୍ଡିରେ ତେଲୁଗୁ ଭୋଟର ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି କିନ୍ତୁୁ ବିଜୟ ଯେ ନିଶ୍ଚିତ ସଫଳ ହେବେ ତାହା କହିହେବ ନାହିଁ । କାହିଁକି ନା ଗତ ନିର୍ବାଚନରେ କାମ୍ପା ସଂପ୍ରଦାୟର ଭୋଟରଙ୍କ ପ୍ରବଳ ସମର୍ଥନରେ ବିଜେପି ଜିତିଥିଲେ ଏହି ସଂପ୍ରଦାୟକୁ ସାସଂଦ ଚନ୍ଦ୍ରଶେଖର ସାହୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି ଏହି ନିର୍ବାଚନମଣ୍ଡଳୀ ଆଦିବାସୀ ବହୁଳ ହୋଇଥିବାରୁ ପ୍ରେମ ପ୍ଲାନ ବା ପ୍ରେମ ଏନଜିଓ ଜରିଆରେ ଯେଉଁସବୁ କାର୍ଯ୍ୟକଳାପ ଚାଲିଛି ତାହା ବିଜୟ ପଟ୍ଟନାୟକଙ୍କ ବିଜୟରେ ବାଧା ହୋଇ ଶାସକ ବିଜେଡିକୁ ଫାଇଦା ଦେଇପାରେ ।
ଅନ୍ୟପଟେ ଶାସକ ବିଜେଡିରେ ବି ସମସ୍ୟା କିଛି କମ୍ ନୁହେଁ । ବିଜେଡି ଭିତରେ ୫ରୁ ଅଧିକ ଟିକେଟ ଆଶାୟୀ ଅଛନ୍ତି । ତେଣୁ ଦଳୀୟ ଟିକେଟକୁ ନେଇ ଅଶାୟୀ ବିଦ୍ରୋହୀ ସାଜି ପାରନ୍ତି । ବିଜେଡି ଯୁବ ସଭାପତି ସାସନାମୁ ଲିଙ୍ଗରାଜ, ତିରୁପତି ପାଣିଗ୍ରାହୀ ତାଙ୍କ ପୁଅ ପାଇଁ, ପୂର୍ବତନ ବିଧାୟକ କେ ସୂର୍ଯ୍ୟା ରାଓ, ରାଜ୍ୟସ୍ତରୀୟ ନେତୃତ୍ୱ ଦାୟିତ୍ୱରେ ଥିବା ପ୍ରଦୀପ ନାୟକ, ବସନ୍ତ ଦାସ ବି ଆଶାୟୀ ଅଛନ୍ତି । ଏହାବ୍ୟତୀତ ସାଂସଦ ଚନ୍ଦ୍ରଶେଖର ସାହୁ ବି ଏହି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେଣୁ ବିଜେଡି ଯଦି ଏହି ଆଶାୟୀ ମ୍ୟାନେଜ କରିବାରେ ଟିକିଏ ବି ଭୁଲ୍ କରେ ତେବେ ଦଳ ପାଇଁ ତାହା ପରାଜୟର କାରଣ ହୋଇପାରେ । ଅନ୍ୟପଟେ ବିଜେଡିରେ ସାସନାମୁ ଲିଙ୍ଗରାଜ ସକ୍ରିୟଭାବେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ସମାନ୍ତରାଳଭାବେ ତରିୁପତି ପାଣିଗ୍ରାହୀ ବି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ତିରୁପତିଙ୍କ ସହ ଜିଲ୍ଲା ବିଜେଡି ସଭାପତି, ପ୍ରଦୀପ ନାୟକ ଓ ବସନ୍ତ ଦାସଙ୍କ ଭଳି ପୁରୁଖା ଦଳୀୟ ନେତା ସାଙ୍ଗରେ ରହୁଥିବା ଦେଖିବାକୁ ମିଳୁଛି । କିନ୍ତୁ ତିରୁପତି ପାଣିଗ୍ରାହୀଙ୍କ ନାଁରେ ଜମି କେଳେଙ୍କାରୀ ଘଟଣାଥିବାବେଳେ ବିଭିନ୍ନ କାରଣ ପାଇଁ ସେ ବିଜେଡିରେ ବିଦ୍ରୋହ କରିପାରିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ତେଣୁ ଦଳ ତାଙ୍କୁ ଛାଡି ଲିଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ । କିନ୍ତୁ ଲିଙ୍ଗରାଜ ପରିପକ୍ୱ ନୁହଁ ବୋଲି ଦର୍ଶାଇ ଅନେକ ପୁରୁଖା ନେତା ତାଙ୍କୁ ସମର୍ଥନ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ସେହିପରି ପୂର୍ବତନ ବିଧାୟକ କେ ସୂର୍ଯ୍ୟା ରାଓ ବିଜେଡିରେ ଥିଲେ ବି ସେ ଦଳୀୟ କାର୍ଯ୍ୟକ୍ରମରେ ସେତେଟା ସକ୍ରିୟ ନାହାନ୍ତି । ତେଣୁ ତାଙ୍କୁ ଦଳ ଟିକେଟ ଦେଇନପାରେ । ଯଦି ତାଙ୍କୁ ଦଳ ଟିକେଟ ନ ଦିଏ ତେବେ ସେ କଂଗ୍ରେସକୁ ସମର୍ଥନ ଦେବେ କି ଚୁପ୍ ରହିବେ ତାହା କହିହେବ ନାହିଁ । ସେହିପରି ରାଜ୍ୟସ୍ତରୀୟ ନେତୃତ୍ୱରେ ଥିବା ଏହି ଅଂଚଳର ଦୁଇ ନେତା ପ୍ରଦୀପ ନାୟକ ଓ ବସନ୍ତ ଦାସ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି । ପ୍ରଦୀପ ନାୟକ ତାଙ୍କୁ ପୁଅ ପାଇଁ ଆଶାୟୀ ଥିବା ଶୁଣିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବିଜେଡି କାହାକୁ ଟିକେଟ ଦେବ ତାହା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ । ସେପଟେ ବିଜେଡି ମହିଳା କାର୍ଡ ଖେଳି ଆଶାୟୀଙ୍କ ସମସ୍ୟା ଦୂର କରିବାକୁ ଯୋଜନା କରିପାରେ ବୋଲି ଶୁଣିବାକୁ ମିଳୁଛି । ଯେହେତୁ ସାଂସଦ ଚନ୍ଦ୍ରଶେଖର ସାହୁ ବିଧାୟକ ପାଇଁ ଆଶାୟୀ ଅଛନ୍ତି ତେଣୁ ସେ ତାଙ୍କୁ ଝିଅକୁ ଏଠାରୁ ପ୍ରାର୍ଥୀ କରିପାରନ୍ତି । ବିଜେଡି ବି ଏଥିରେ ସହମତ ହୋଇପାରେ । କାରଣ ମହିଳା କାର୍ଡ ଖେଳିଲେ ଟିକେଟ ଆଶାୟୀଙ୍କ ସମସ୍ୟା ବିଜେଡି ଦୂର କରିବାରେ ନିଶ୍ଚିତ ସଫଳ ହୋଇପାରିବ । ସେପଟେ ଯଦି ବିଜେଡି ମହିଳା ପ୍ରାର୍ଥୀ ଦିଏ ତେବେ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ । ସେପଟେ ଶୁଣିବାକୁ ମିଳୁଛି ବିଜୟ ପଟ୍ଟନାୟକ ତାଙ୍କ ନିଷ୍ପତିରୁ ଓହରିବେ ନାହିଁ । ତେଣୁ ସେ ତାଙ୍କ ପରିବାରରୁ କୋ÷ଣସି ଜଣେ ମହିଳାଙ୍କୁ କଂଗ୍ରେସରୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇପାରନ୍ତି । ସେପଟେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଏବେ କହିବା ଅସମ୍ଭବ । ଦେଖିବାକୁ ବାକି ରହିଲା କିଏ ପାରଳାରେ ବିଜୟ ଲାଭ କରୁଛି ।