ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ପଦବୀ ପୂର୍ବରୁ ଉପ ଶଦ୍ଦଟିକୁ ହଟାଇବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ଦଳ ଭିତରେ ଏକପ୍ରକାର ବିଦ୍ରୋହ ତିଆରି ହୋଇଗଲାଣି ବୋଲି ଖୁବ୍ ଚର୍ଚ୍ଚା ହେଉଛି । ଜଣେ ନିଜର ମୁଖ୍ୟମନ୍ତ୍ରୀ ପଦ ରଖିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ଦୁଇଜଣ ମୁଖ୍ୟମନ୍ତ୍ରୀ ହେବାକୁ ରେସ୍ ଲଗାଇଲେଣି । ଫଳରେ ଦଳୀୟ କନ୍ଦଳ ବିରୋଧୀଙ୍କୁ ବେଶ୍ ସୁହାଇବାରେ ଲାଗିଛି । ଏହି ରାଜନୈତିକ ଚର୍ଚ୍ଚା ଏବେ ଏମିତି ଏକ ଚରମସୀମାରେ ପହଂଚିଲାଣି ଯେ ଏହାକୁ ରୋକିବା ହୁଏତ ଆଗାମୀ ଦିନରେ କଷ୍ଟ ହୋଇପାରେ । ଆଗାମୀ ନିର୍ବାଚନରେ କିପରି ଦଳ ଭଲ ପ୍ରଦର୍ଶନ କରିବ ତା ପାଇଁ ଯେତିକି ପ୍ରସ୍ତୁତି ଦରକାର ତା ଉପରେ ଆଲୋଚନା ନ ହୋଇ ଦଳ କାହିଁକି ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରିଲା ନାହିିଁ ତାହା ଉପରେ ଖୁବ୍ ଚର୍ଚ୍ଚା ହେଉଛି । ଅର୍ଥାତ ଯେଉଁ ସବୁ ଆସନ ଗତ ୨୦୨୪ ଲୋକସଭା ନିର୍ବାଚନରେ ଦଳ ହରାଇଲା ସେସବୁ ହରାଇବା ପଛର କାରଣକୁ ନେଇ ଦଳ ଭିତରେ ଅଧିଚ୍ଚ ଚର୍ଚ୍ଚା ଚାଲିଛି । ପ୍ରତ୍ୟେକଟି ସିଟ୍ ହରେଇବାକୁ ନେଇ ନେତାମାନେ ଭିନ୍ନ ଭିନ୍ନ କାରଣ ଦେଖାଉଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ ପଛକୁ ନ ହଟିବାକୁ ପରାମର୍ଶ ଦେଇ ସେମାନଙ୍କର ଆତ୍ମବିଶ୍ୱାସକୁ ଅଧିକ ମଜ୍ବୁତ୍ କରିବାକୁ ଚେଷ୍ଟା କରୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଅଧା ସିଟ୍ ହରାଇବା ପରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଲାଣି । ଦଳ କାହିଁକି ୬୨ ସିଟ୍ରୁ ଖସି ୩୩ ସିଟ୍ରେ ପହଂଚିଲା ସେ ନେଇ ସମୀକ୍ଷା ହୋଇଛି । ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳୀୟ କର୍ମୀଙ୍କ ଅଧିକ ଆତ୍ମବିଶ୍ୱାସ ଓ ବିରୋଧୀ ଅନେକ ମିଛ କଥା କହି ଭୋଟରଙ୍କୁ ଭ୍ରମିତ କରିବାରୁ ଏଭଳି ଘଟିଛି ବୋଲି ସଫେଇ ଦେଇଛନ୍ତି । କିନ୍ତୁ ଦଳର ଅନକେ ବରିଷ୍ଠ ଦଳର ଏଭଳି ପରାଜୟ ପଛରେ ଅନେକ କାରଣ ଥିବା ଦର୍ଶାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଉତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ସଂଗଠନ ସରକାରଠାରୁ ବଡ ଅଟେ । ଅର୍ଥାତ ଯୋଗୀ ସରକାର ସମୟରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଉପେକ୍ଷା କରାଯାଉଛି ବୋଲି ଇସାରା କରିଛନ୍ତି ମୌର୍ଯ୍ୟ । ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କ ଏହି ବୟାନ ପାଇଁ ଉତରପ୍ରଦେଶ ରାଜନୀତିକୁ ନେଇ ପୁରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଉତରପ୍ରଦେଶ ବିଜେପିରେ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧ ଆରମ୍ଭ ହେଲାଣି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ବିଧାୟକ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି ଉତରପ୍ରଦେଶରେ ବିଜେପି ସ୍ଥିତି ଭାରି ସଙ୍ଗୀନ ତେଣୁ କେନ୍ଦ୍ରୀୟ ନେତୃତ୍ୱ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ଉଚିତ୍ । ସେହିପରି ପୂର୍ବତନ ମନ୍ତ୍ରୀ ମୋତି ସିଂ କହିଥିଲେ ତହସିଲ ଓ ଥାନାରେ ଦୁର୍ନୀତି ଚରମସୀମାରେ ପହଂଚିଲାଣି । ସେହିପରି ମନ୍ତ୍ରୀ ସଞ୍ଜୟ ନିଶାଦ କହିଛନ୍ତି ବୁଲଡୋଜର ଚଳାଇଲେ କ’ଣ ଭୋଟ ମିଳିବ । ଏଥିସହ ନିଷାଦ ପାର୍ଟିର ସଭାପତି ସଞ୍ଜୟ ନିଶାଦ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କର ପ୍ରଂଶସା କରିଛନ୍ତି । ତେଣୁ ଏସବୁ ଚିତ୍ର ସ୍ପଷ୍ଟ କରୁଛି ଯେ ଉତରପ୍ରଦେଶରେ ବିଜେପି ଭିତରେ ସବୁକିଛି ଠିକ୍ଠାକ୍ ଚାଲୁନାହିଁ । ଆଗାମୀ ଉପନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ଏପରି ବିରୋଧ କରାଯିବା ଉତରପ୍ରଦେଶ ବିଜେପି ପାଇଁ ଶୁଭ ସଂଙ୍କେତ ନୁହେଁ । ଯଦି ଏସବୁ କଥାକୁ କେନ୍ଦ୍ରୀୟ ବିଜେପି ସଠିକ୍ ଢ଼ଙ୍ଗରେ ମ୍ୟାନେଜ କରିନପାରେ ତେବେ ୨୦୨୭ ବେଳକୁ ଉତରପ୍ରଦେଶରେ ବିଜେପିର ସ୍ଥିତି କ’ଣ ହେବ । ୨୦୧୯ରେ ଉତରପ୍ରଦେଶରେ ବିଜେପି ଖାତାରେ ୫୦% ଭୋଟ ପଡ଼ିଥିବାବେଳେ ୨୦୨୨ ବିଧାନସଭା ଓ ୨୦୨୪ ଲୋକସଭାରେ ଏହା ହ୍ରାସ ପାଇ ୪୧% ପହଂଚିଛି । ଅନ୍ୟପଟେ ବିବାଦୀୟ ବୟାନ ଦେଇଥିବା ରମେଶ ମିଶ୍ର ଓ ମୋତି ସିଂ ନିଜ ମତ ବଦଳାଇ କହିଛନ୍ତି କଂଗ୍ରେସ ଓ ସମାଜବାଦୀ ପାର୍ଟି ବିଜେପି ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି କିନ୍ତୁ ଆଗାମୀ ନିର୍ବାଚନରେ ପୁଣି ବହୁମତରେ ବିଜେପି ବିଜୟ ଲାଭ କରିବ । ସେପଟେ ସମାଜବାଦୀ ପାର୍ଟି ନେତା ସୁନୀଲ ଯାଦବ କହିଛନ୍ତି ବିଜେପି ଭିତରେ ଏହି ଲଢ଼େଇ ସଂଗଠନ ଓ ସରକାରକୁ ନେଇ ନୁହଁ ବରଂ ଆଗକୁ କିଏ ମୁଖ୍ୟମନ୍ତ୍ରୀ ହେବ ସେଥିପାଇଁ ଏ ଲଢ଼େଇ ହେଉଛି । ଉତରପ୍ରଦେଶର ଦୁଇ ଉପମୁଖ୍ୟମନ୍ତ୍ରୀ ନିଜ ପଦବୀ ପଛରେ ଉପ ଶଦ୍ଦଟିକୁ ହଟାଇବାକୁ ଚାହୁଁଛନ୍ତି । ତେବେ ସୁନୀଲ ଯାଦବଙ୍କ କଥାରେ କିଛି ସତ୍ୟତା ଅଛି କି ନାହିଁ ତାହା ଆଗାମୀ ଦିନରେ ବିଜେପିର ରଣନୀତିରୁ ସ୍ପଷ୍ଟ ହେବ ।