ଓଡ଼ିଆ ଅସ୍ମିତା ଜାଲରେ ଛନ୍ଦି ହେବାରେ ଲାଗିଲାଣି ବିଜେପି । ଯେଉଁ ଅସ୍ମିତା ବିଜେପିକୁ ଅଚାନକ ବିଜୟ ଦେଇଥିଲା ସେହି ଅସ୍ମିତା ଏବେ ବିଜେପି ପାଇଁ ଅଚାନକ ବିବାଦ ଆଣୁଛି । ଓଡ଼ିଆ ଅସ୍ମିତା କିଭଳି ବିଜେପି ତନଟିରେ କଣ୍ଟା ହେଲାଣି ତାହାରି ଉପରେ ଆଜିର ଏହି ତର୍ଜମା । ନମସ୍କାର ମୁଁ ସତ୍ୟବ୍ରତ ମୋ ସହ ଆପଣ ଦେଖୁଛନ୍ତି ତର୍ଜମା। ଗତ ନିର୍ବାଚନରେ ଅଣଓଡ଼ିଆ ପାଣ୍ଡିଆନ ବିଜେପି ପାଇଁ ପ୍ରମୁଖ ନିର୍ବାଚନୀ ମୂଦ୍ଦା ଥିଲେ । କିନ୍ତୁ ସରକାରକୁ ଆସୁ ଆସୁ ଜଣେ ଅଣଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ବସାଇବା ଯୋଗୁଁ ବିଜେପି ପ୍ରତି ସାଧାରଣ ଜନତାଙ୍କ ଭିତରେ ଏକ ବୈରାଗ୍ୟ ଭାବ ଆସିଗଲା । କିନ୍ତୁ ନିର୍ବାଚନ ସରିଯାଇଥିବାରୁ ଏ ଆକ୍ରୋଶ ସାଧାରଣ ଜନତା ଆଉ ଦେଖାଇପାରିବେ ନାହିଁ। ଏଥିପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅପେକ୍ଷା କରିବାକୁ ପଡ଼ିବ । ଘରକୁ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଛି । ତେଣୁ ଆଗକୁ ସମାନ କଥାମାନ ଘଟିବ ବୋଲି ଆଶଙ୍କା କରାଯାଇଥିଲା । କିନ୍ତୁ ଅଳ୍ପ ଦିନର ବ୍ୟବଧାନରେ ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଫିସରଙ୍କୁ ଆକ୍ରମଣ କରିଥିଲେ ବି ଏହାକୁ ନେଇ ବିଜେପି ଚୁପ୍ ରହିବା ପୁଣି ସେହି ଓଡ଼ିଆ ଅସ୍ମିତା କୁ ନେଇ ରାଜନୀତି କରିବାକୁ ବିରୋଧୀ ବିଜେଡି ପାଇଁ ସୁଯୋଗ ଆଣିଲା। ଏ ଏସ ଓ ଙ୍କୁ ଆକ୍ରମଣ ଘଟଣାରେ ରାଜନୀତି ଦିନକୁ ଦିନ ତୀବ୍ର ହେବାରେ ଲାଗିଲାଣି । ବିଜେଡ଼ିର ଜଣେ ପରେ ଜଣେ ନେତା ଏହି ଗୋଟିଏ ଘଟଣାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି । ପ୍ରଥମେ ପ୍ରତାପ ଦେବ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ଉପାଖ୍ୟାନ କହି ବିଜେପିକୁ ଟାର୍ଗେଟ କରିଥିବା ବେଳେ ଏବେ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଏହାକୁ ନେଇ କଠୋର ସମାଲୋଚନା କରିବା ଆରମ୍ଭ କଲେଣି । ଯଦି ଏ ଏସ ଓ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ହୁଏତ ଏ କଥା ଆଗାମୀ ବିଧାନସଭାରେ ବିରୋଧୀ ପାଇଁ ପ୍ରମୁଖ ମୁଦ୍ଦ ହୋଇଯାଇପରେ । ଏଥିରେ କଂଗ୍ରେସ ବି ସରକାରଙ୍କୁ ଘେରିବା ଆରମ୍ଭ କରିଛି । ସେହିପରି ନୂଆ ସରକାର ରଥ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଜଣେ ଓଡ଼ିଆଙ୍କୁ ନିଯୁକ୍ତି ଦେବାର ନିଷ୍ପତି ନେଇ ନ ପାରିବା ଓ ରଥ ଯାତ୍ରାରେ ଅନେକ ବିଶୃଙ୍ଖଳା ଘଟିବା ସହ ବଡ଼ ଠାକୁର ଚାରମାଲରୁ ପଡ଼ିଯିବା ପରେ ଯାଇ ଜଣେ ଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଦେବା ଘଟଣା ବିଜେପିର ଓଡ଼ିଆ ଅସ୍ମିତା ପ୍ରୀତି କେତେ ତାହା ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ଏ ସବୁ ଚର୍ଚ୍ଚା ଇଙ୍ଗିତ କରୁଛି ଯେ ଆଗକୁ ପ୍ରତ୍ୟେକଟି ଘଟଣାରେ ଓଡ଼ିଆ ଅସ୍ମିତାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବେ । ଫଳରେ ଯେଉଁ ଓଡ଼ିଆ ଅସ୍ମିତା ପାଇଁ ବିଜେପି ସରକାର କରିଛି ସେହି ଓଡ଼ିଆ ଅସ୍ମିତା ହିଁ ବିଜେପି ତନଟିରେ କଣ୍ଟା ସାଜିପାରେ । ତେବେ ଆଗକୁ ଏହି ଅସ୍ମିତା ଇସ୍ୟୁ ବିଧାନସଭା ରୁ ଆରମ୍ଭ କରି ରାଜରାସ୍ତାରେ କେମିତି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।