୧ମ ମାସରେ ୧ମ ପ୍ରତିଶ୍ରୁତି ପାଳନରେ ଫେଲ୍ ମାରିଛି ବିଜେପି !

Share

ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମାସେ ପୁରିଛି । ବିଜେପି ୧୦୦ ଦିନ ଭିତରେ ଯେଉଁ ସବୁ ନିର୍ବାଚନୀ ଇସ୍ତାହାର ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ୩୩% ସମୟ ସରିଯାଇଛି । କିନ୍ତୁ ଘୋଷଣା ହୋଇଥିବା ମୋଟ ୨୧ଟି ପ୍ରମୁଖ ସଂକଳ୍ପର ୩୩% ପୂରଣ କରିବାରେ ସକ୍ଷମ ହୋଇପାରିନାହିଁ ନୂତନ ସରକାର । ସବୁଠୁ ୧ ନମ୍ବରରେ ଥିଲା ବିଜେଡି ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ଶେଷ କରିବା । କିନ୍ତୁ ଏହା ସେତେଟା ସହଜ ନୁହଁ ବୋଲି ସମସ୍ତେ ଜାଣିଛନ୍ତି । ଦୁର୍ନୀତି ସମସ୍ୟାଟି ବ୍ୟାପକ ବୋଲି ନିଜେ ବିଜେପି ନିଜ ଇସ୍ତାହାରରେ ସ୍ୱୀକାର କରିସାରିଛି । ତେଣୁ ଏଭଳି ଏକ ବ୍ୟାପକ ଦୁର୍ନୀତିକୁ ଆଗାମୀ ୫ବର୍ଷରେ ଦୂର କରିବାରେ ଶତପ୍ରତିଶତ ସମର୍ଥ ହୋଇପାରିବ ନାହିଁ ବିଜେପି । ଯଦିଓ କୋଟେରୀ ଗ୍ରୁପ୍‌ର ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଏ ଦିଗରେ କାର୍ଯର୍୍ୟ ଆରମ୍ଭ କରିଛି ବୋଲି କୁହାଯାଇପାରିବ । କିନ୍ତୁ ରାଜ୍ୟର ଦୁର୍ନୀତି ଖଜୁରୀ ଗଛ ପରି ମୂଳରୁ ପାହାଚ ପାହାଚ । ତେଣୁ ପ୍ରଥମ ଇସ୍ତାହାରରେ ଯେଉଁ କଥା ବିଜେପି ଉଲ୍ଲେଖ କରିଥିଲା ତାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ରୋଡ ମ୍ୟାପ୍ ପ୍ରସ୍ତୁତି ହୋଇପାରିନାହିଁ । ଯଦିଓ ରାସନକାର୍ଡରେ ଭୂତ ହିତାଧିକାରୀ ଚିହ୍ନଟ ଭଳି ପ୍ରକ୍ରିୟା, ଜନଶୁଣାଣିକୁ ତ୍ୱରିତ କରି ଦୁର୍ନୀତି ବିଷୟରେ ଅବଗତ ହେବା ଭଳି ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଦୁର୍ନୀତି ଭଳି ମହାଦ୍ରୁମକୁ ନାଶ କରିବା ପାଇଁ ଏସବୁ ଉପାୟ ଧୂଆଁବାଣ ସଦୃଶ । ତେଣୁ ପ୍ରଥମ ଇସ୍ତାହାର ଦିଗରେ ନୂଆ ସରକାର ୧ ମାସ ମଧ୍ୟରେ ଠୋସ୍ ପଦକ୍ଷେପ ନେବାରେ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି । ସବୁଠୁ ବଡ଼ କଥା ହେଉଛି ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ ପାଇଁ ଓଡ଼ିଶା ବିଜେପି ନିଜର ପ୍ରଥମ ସଂକଳ୍ପରେ କହିଥିଲା । କିନ୍ତୁ ୧ ମାସ ମଧ୍ୟରେ ଏନେଇ କିଛି ସୁରାକ୍ ସରକାରଙ୍କଠାରୁ ମିଳିପାରିନାହିଁ । ଖଣି ଦୁର୍ନୀତିକୁ ନେଇ ସରକାର ମୁହଁ ଖୋଲିଥିବାବେଳେ ଗତ ୧ ମାସ ମଧ୍ୟରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି ସରକାର । ବିଜେପି ନିଜର ପ୍ରଥମ ସଂକଳ୍ପରେ କହିଥିଲା ଖଣିଜ ପଦାର୍ଥ ଓ ଖଣିରୁ ଉତ୍ପାଦିତ ସମସ୍ତ ରାଜସ୍ୱ ଓଡ଼ିଶାର ଅଗ୍ରଗତି ପାଇଁ ବ୍ୟବହୃତ ହେବ । କିନ୍ତୁ ଏହି ଧାଡିରେ ଆଇନଗତ ଶଦ୍ଦଟିଏ ବ୍ୟବହାର କରି ବିଜେପି ଆଗାମୀ ଦିନରେ ଏହି ପ୍ରତିଶ୍ରୁତିରୁ ଖସିଯିବାକୁ ଏକ ସୁନ୍ଦର ଯୋଜନା କରିଛି । ଅନ୍ୟପଟେ ବିଜେପି ସରକାରର ପ୍ରଥମ ୧ ମାସ ମଧ୍ୟରେ ଏହା ଉପରେ କୌଣସି ଠୋସ୍ ପଦକ୍ଷେପ ନେବା ଦିଗରେ କାର୍ଯ୍ୟ କରିଥିବା ଦେଖିବାକୁ ମିଳିନାହିଁ । ଯଦିଓ ବିଜେଡି ଏ ନେଇ ସରକାରଙ୍କୁ ଘେରି ସାରିଛି । କୋଇଲା ରୟାଲଟିକୁ ନେଇ ବିଜେଡିର ଦାବିକୁ କେନ୍ଦ୍ର ସରକାର ଦୀର୍ଘବର୍ଷ ଧରି ଶୁଣିନଥିବା ଅଭିଯୋଗ କରିଥିଲେ ବି ଏ ନେଇ ବିଜେପି ପାଟି ଖୋଲିପାରି ନାହିଁ । ତେଣୁ ମୋଟାମୋଟି ଦେଖିବାକୁ ଗଲେ ପ୍ରଥମ ମାସରେ ପ୍ରଥମ ପ୍ରତିଶ୍ରୁତି ପାଳନରେ ବିଜେପି ଫେଲ୍ ମାରିଛି ବୋଲି କୁହାଯାଇପାରିବ । କିନ୍ତୁ ଏହି ୧ ମାସ ମଧ୍ୟରେ ବିଜେପି ଅନେକ କିଛି କରିବାକୁ ଚେଷ୍ଟା କରିବା ସହ କରିଛି ମଧ୍ୟ । ଯେପରିକି ବିଜେପିର ନିର୍ବାଚନୀ ଇସ୍ତାହାରରେ ଥିବା ୨୧ ସଂକଳ୍ପ ଭିତରୁ ୧୩ ନମ୍ବର ସଂକଳ୍ପରେ ପୁରୀ ମନ୍ଦିରରେ ପୂର୍ବ ସରକାରଙ୍କ କୁପରିଚାଳନା ଯୋଗୁଁ ଭକ୍ତଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିଚାର କରିବ ବୋଲି କହିଥିଲା ବିଜେପି । ତେଣୁ ନିର୍ବାଚନ ଜିତିବା ପରେ ପ୍ରଥମେ ଭକ୍ତମାନଙ୍କ ପାଇଁ ଚାରିଦ୍ୱାର ଖୋଲିବା ନିଷ୍ପତି ନେଇଥିଲା ବିଜେପି । କିନ୍ତୁ ବିନା ପ୍ରସ୍ତୁତିରେ ଏଭଳି ନିଷ୍ପତି ନେଇ ବିଜେପି ସରକାର ଆରମ୍ଭରୁ ଯେଭିଳ ହଟହଟା ହେଲେ ତାହା ସାରା ଓଡ଼ିଶାବାସୀ ଦେଖିସାରିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାର ପୂର୍ବ କମିଟିକୁ ରାତାରାତି ଭାଙ୍ଗି ନୂତନ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିରେ ଏ ସରକାର କେତେ ସଫଳ ହେବେ ତାହା ତ ଦେଖିବାକୁ ଅଛି । କିନ୍ତୁ ଶ୍ରୀମନ୍ଦିର ପରିଚାଳନକୁ ନିର୍ବାଚନରେ ବିଜେପି ପ୍ରମୁଖ ମୁଦ୍ଦା କରିଥିଲେ ବି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରିବା ଦିଗକୁ ଅଣଦେଖା କରି ଶେଷରେ ହଟହଟା ହୋଇଛି ବିଜେପି । ଆଇନମନ୍ତ୍ରୀ ନିଜ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇଥିବାବେଳେ ବଡଠାକୁର ଚାରମାଳରୁ ଖସିଯିବା ଘଟଣା ପରେ ରାତାରାତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି କରି ବିଜେପି ଜଗନ୍ନାଥ ଭକ୍ତଙ୍କ ପାଇଁ କେତେ ଯତ୍ନବାନ ତାହା ପଦାରେ ପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ପରିକ୍ରମା ପ୍ରକଳ୍ପ ନିର୍ମାଣବେଳେ ଭଙ୍ଗାଯାଇଥିବା ମଠ ଗୁଡିକୁ କାର୍ଯ୍ୟକ୍ଷମ କରିବା ନେଇ ଏହି ବିଜେପି ସରକାର କି ପଦକ୍ଷେପ ନେଇଛି ତାହା ଅଦ୍ୟାବିଧି ଜଣାପଡ଼ିଲା ନାହିଁ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ ନ କରିବା, ବୋନସ ଦେଇ ଏମଏସପିକୁ ୩୧୦୦ କରିବା ଭଳି ନୂଆ ସରକାଙ୍କ ଦୁଇଟି ବଡ ପଦକ୍ଷେପ ଓଡ଼ିଶାବାସୀଙ୍କୁ ଖୁସି କରିପାରିଛି । ତେବେ ଆଗକୁ ବାକି ନିର୍ବାଚନୀ ଇସ୍ତାହାର କେମିତି ପୂରଣ ହେଉଛି ତାହା ଉପରେ ସମସ୍ତଙ୍କ୍ ନଜର ରହିବ ।