୨୦୧୪ ପୂର୍ବରୁ ଭାରତ ନିରାଶା,ହତାଶାର ମାୟା ଜାଲରେ ଛନ୍ଦି ହୋଇଯାଇଥିଲା, ଏକଥା ମୋଦି ଋଷ ମାଟିରେ ଛିଡା ହୋଇ କହିଛନ୍ତି । ଅର୍ଥାତ ବିଜେପି ଦଳର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବି ଭାରତ ହତାଶା ନିରାଶାର ସାମ୍ନା କରିଥିଲା । କେବଳ ନରେନ୍ଦ୍ର ମୋଦିଙ୍କ ସମୟରେ ହିଁ ସେହି ହତାଶା ଓ ନିରାଶା ଆଉ ନାହିଁ ଓ ପ୍ରତ୍ୟେକଟି ଭାରତୀୟଙ୍କ ଭିତରେ ଆତ୍ମବିଶ୍ୱାସ ଭରି ହୋଇଯାଇଛି । ଏକଥା କହି ଯେ ମୋଦି କେବଳ ନିଜର ପ୍ରଂଶାସା କରିଛନ୍ତି ତା ନୁହେଁ ବରଂ ନିଜ ଦଳର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାଣୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି । ଋଷ ମାଟିରେ ଯେଉଁ ଭାରତୀୟମାନେ ମୋଦିଙ୍କ ଭାଷଣ ଶୁଣୁଥିଲେ ସେମାନଙ୍କୁ ଏକଥା କିପରି ଲାଗିଥିବ । ନିଜର ଅଂହଭାବ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଏଭଳି ସ୍ତରକୁ ଯାଇ ବୟାନବାଜି କରିବେ ଏକଥା ଋଷରେ ବସି ଭାଷଣ ଶୁଣୁଥିବା ଲୋକମାନେ କେବେ ବି କଳ୍ପନା କରିନଥିବେ । ଭାରତରୁ ଅନେକ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ଆଜି ବିକଶିତ ଦେଶ ମାନଙ୍କରେ ବଡ଼ ବଡ଼ ପଦବୀରେ ବସିଛନ୍ତି । ବିକଶିତ ଦେଶମାନଙ୍କରେ ବିକାଶରେ ମୁଖ୍ୟ ପୁରୋଧା ଭାବରେ ଅନେକ ଭାରତୀୟ ଅଛନ୍ତି । ବିଶେଷ କରି ଆମେରିକା ଭଳି ଦେଶର ସର୍ବବୃହତ ମହାକାଶ ବିଜ୍ଞାନ ସଂସ୍ଥା ନାସାରେ ଭାରତୀୟ ବୈଜ୍ଞାନିକଙ୍କ ସଂଖ୍ୟା କେତେ ତାହା କାହାକୁ ଅଛପା ନାହିଁ । କ’ଣ ଏମାନେ ସମସ୍ତେ ୨୦୧୪ ପରେ ତିଆରି ହୋଇଛନ୍ତି । କ’ଣ ଏମାନଙ୍କୁ ତିଆରି କରିବାରେ ୨୦୧୪ ପୂର୍ବରୁ ସରକାର ଚଳାଉଥିବା ରାଜନୈତିକ ଶକ୍ତିମାନଙ୍କର କିଛି ଭୂମିକା ନାହିଁ । ଏସବୁ ପ୍ରଶ୍ନ ଘେରରେ ବର୍ତମାନ ମୋଦି ଘେରି ହୋଇଯାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଭାରତବର୍ଷରେ ଅନେକ ଗଣମାଧ୍ୟମ ମୋଦିଙ୍କୁ ଯେତିକି ପ୍ରଂଶସା କରନ୍ତି ତାଙ୍କର ଭୁଲ୍କୁ ସମାଲୋଚନା କରନ୍ତି ନାହିଁ । ଗଣମାଧ୍ୟମର ଭୂମିକା ହେଉଛି କ୍ଷମତାକୁ ପ୍ରଶ୍ନ କରି ତାକୁ ସଠିକ୍ ରାସ୍ତାରେ ରଖିବା । କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଗଣମାଧ୍ୟମ ତାର ଭୂମିକାକୁ ବି ଭୂଲିଯିବା ପରି ଲାଗୁଛି । କିନ୍ତୁ ଅପରପକ୍ଷେ ଯଦି ରାହୁଲ ଗାନ୍ଧୀ କିଛି କିହଦେଲେ ତାକୁ ଗଣ୍ଠି କରି ସମାଲୋଚନକୁ ବ୍ୟାପକ କରିବାରେ କେହି ପଛଘୁଂଚା ଦିଅନ୍ତି ନାହିଁ । ବର୍ଷେ ତଳେ ଯେତେବେଳେ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇ ସାନଫ୍ରାନ୍ସିସକୋରେ ନରେନ୍ଦ୍ର ମୋଦିଙ୍କ ବିଷୟରେ ଟିପ୍ପଣୀ କରିଥିଲେ ସେତେବେଳେ ପୁରା ଦେଶର ମିଡ଼ିଆ ରାହୁଲଙ୍କ ବୟାନକୁ ନେଇ କଡା ସମାଲୋଚନା କରିବା ଆରମ୍ଭ କରିଦେଲେ । ସେତେବେଳେ ରାହୁଲ କେବଳ କହିଥିଲେ ଭାରତରେ ଏମିତି ଲୋକ ଅଛନ୍ତି ଯିଏ ସବୁକିଛି ଜାଣିଛନ୍ତି ବୋଲି କୁହନ୍ତି ଏପରିକି ସେ ଭଗବାନଙ୍କୁ ମଧ୍ୟ ବୁଝାଇଦେବେ ସାରା ବିଶ୍ୱ କିପରି ଚାଲିଛି । ରାହୁଲଙ୍କ ଏଭଳି ବୟାନକୁ ନେଇ ବିଜେପିର ଅଭିଯୋଗ ଥିଲା ଯେ ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଅର୍ଥ ରାହୁଲ ବିଦେଶମାଟିରେ ଭାରତକୁ ଅପମାନିତ କରିଛନ୍ତି । ବିଜେପି ନେତା ଅନୁରାଗ ଠାକୁର କହିଥିଲେ ରାହୁଲ ଦେଶକୁ ଅପମାନ କରିବା କ୍ଷେତ୍ରରେ ପଛରେ ରୁହନ୍ତି ନାହିଁ । ବିଦେଶରେ ଭାରତର ଗରିମା କ୍ଷୂର୍ଣ୍ଣ କରିବାକୁ ରାହୁଲ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ଅନୁରାଗ । କିନ୍ତୁ ଏବେ ଯେତେବେଳେ ମୋଦି ନିଜ ଦଳର ପ୍ରତିଷ୍ଠାତା ତଥା ଭାରତର ଦଶମ ପ୍ରଧାନମନ୍ତ୍ରୀ ବାଜଜପେୟଙ୍କ ସମେତ ପୂର୍ବରୁ ଯେତେ ପ୍ରଧାନମନ୍ତ୍ରୀ ଅଛନ୍ତି ସମସ୍ତଙ୍କୁ ପରୋକ୍ଷରେ ଅପାରଗ କହିବା କେତେଦୂର ଯଥାର୍ଥ । ଆଉ ଏହାକୁ ନେଇ କାହିଁକି ବିଜେପିର ନେତାମାନେ ମୁହଁ ଖୋଲିଲେ ନାହିଁ । ତେଣୁ ଲାଗୁଛି ମୋଦିଙ୍କୁ ପୁରା ବିଜେପି ଭୟ କରୁଥାଇପାରେ । ତେଣୁ ବିଜେପି ଦଳର ପ୍ରତିଷ୍ଠାତା ବାଜପେୟୀଙ୍କୁ ମୋଦି ଯେଉଁ ଅପମାନ କଲେ ତାହା ସହିପାରିନଥାନ୍ତେ । ତେବେ ମୋଦିଙ୍କୁ ଖୁଲମଖୁଲା ବିରୋଧ ନ କଲେ ବି ଆଗାମୀ ଦିନରେ ଯେ ବିଜେପି ଓ ଆରଏସଏସ ଭିତରେ ମୋଦିଙ୍କୁ ନେଇ ବିଦ୍ରୋହ ନ କୁହୁଳିବ ତାହା କହିହେବ ନାହିଁ ।