ଚୋରା ମଦ କାରବାର ବନ୍ଦ ସମ୍ଭବ କି ?

Share

ହନୁ ମଲାବେଳେ ସତ କୁହେ। ବିଜେଡି ସରକାର କ୍ଷମତାରୁ ଯିବା ପୂର୍ବରୁ ମଦ ମୃତ୍ୟୁ ମାମଲା ବା ଅବକାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ ୧୧ଟି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ଖୋଲି ଦେଇକି ଯାଇଛନ୍ତି। ଫଳରେ ଦୀର୍ଘବର୍ଷ ଧରି ମଦମୃତ୍ୟୁ ରୋକିବା ଦିଗରେ ବିଜେଡି ସରକାର ଉପରେ ଯେଉଁ ପ୍ରଶ୍ନଚିହ୍ନ ଲାଗିଥାନ୍ତା ସେଥିରୁ ନବୀନ ଆପାତତଃ ମୁକ୍ତି ପାଇଯାଇଛନ୍ତି। ଯାହା ହେଉ । କିନ୍ତୁ ଏବେ ଚିକିଟି ମଦମୃତ୍ୟୁ ମାମଲାରେ ବିଜେପି ସରକାରକୁ ଘାଂଟିବାକୁ ବିଜେଡି ପୁରା କଳ ବଳ କୌଶଳ ଲଗାଇଦେଇଛି। ସେପଟେ ଦୀର୍ଘ ୧୨ବର୍ଷ ପରେ ଓଡ଼ିଶାରେ ପୁଣି ମଦମୃତ୍ୟୁ ମାମଲା ଦେଖିବାକୁ ମିଳିଥିବାରୁ ବିଜେପି ସରକାରର ଅବକାରୀ ମନ୍ତ୍ରୀ ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡଂଟକୁ ଏଥିପାଇଁ ଦାୟୀ କରି ନିଲମ୍ବନ ଆଦେଶ ଦେଇଛନ୍ତି। ଆଉ ସମ୍ପୂର୍ଣ୍ଣ ଚୋରା ମଦ କାରବାର ବନ୍ଦ କରିଦିଆଯିବ ବୋଲି କୁହାଯାଇଛି। ଯାହା ହେଉ ଆରମ୍ଭରୁ ବିଜେପି ବେଳା ଖରାପ ଥିଲା । ନିଲମ୍ବନ କରି ବଂଚିଯିବେ। କିନ୍ତୁ ଏ ମଦମୁତ୍ୟୁ ପାଇଁ କିଏ ପ୍ରକୃତରେ ଦାୟୀ। ୨୦୧୨ ମଦମୃତ୍ୟୁ ମାମଲାରେ ଜଷ୍ଟିସ ଏ ଏସ୍ ନାଇଡୁ କମିଶନ ଅବକାରୀ, ପୋଲିସ ଓ ଡ୍ରଗସ ଏ ତିନିଜଣଙ୍କୁ ଦାୟୀ କରିଥିଲେ। ଆଉ ତିନି ଜଣଙ୍କ ପାଇଁ ବି ଅନେକ ମଦୁଆ ନ ମରିକି ବି ମରଣକୁ ନିମନ୍ତ୍ରଣ ଦେଇ ବସିଛନ୍ତି। କିନ୍ତୁ ଯେତେବେେଳେ ସେମାନେ ମରିବେ ସେତେବେଳେ ସେମାନଙ୍କ ମୃତ୍ୟୁକୁ ମଦ ମୃତ୍ୟୁ ବୋଲି କୁହାଯିବ ନାହିଁ। ନ ହେଲେ ଏ ତିନି ବିଭାଗର ୯୦ଭାଗ ଅଧିକାରୀ ନିଲମ୍ବିତ ହୋଇଯାଆନ୍ତେ। ୨୦୧୨ ମଦମୃତ୍ୟୁ ମାମଲାରେ ତଦନ୍ତ କରି କମିଶନ କହିଥିଲେ ଯେ ମିଥାଇଲ ଆଲକହଲ ସହ ଏପିକାର୍ମ କାର୍ମିନେଟିଭ, ସିନାମନ ୱାଟର ଓ ଅରେଞ୍ଜ ଟିଙ୍କଚର ମିଶ୍ରିତ ମାଦକ ଦ୍ରବ୍ୟ ପିଇବା ଯୋଗୁଁ ଏହି ମୃତ୍ୟୁ ଘଟିଥିଲା। ଏହିସବୁ ଜିନିଷ କେଉଁଠି ଓ କେମିତି କାରବାର ହୁଏ ତାର ହିସାବ ଦେଇପାରିବେ କି ସରକାର। ସେସବୁ ଉପରେ କିପରି ନଜର ରଖାଯାଇଛି ଆମେ ଜାଣିବା କେମିିତି । ସେତେବେଳେ କମିଶନ କହିଥିଲେ ଡ୍ରଗ୍ସ ଓ କସ୍‌ମେଟିକ ଆକ୍ଟର ଧାରା ୨୬(କ) ଅନୁଯାୟୀ ରାଜ୍ୟ ସରକାର ଏସବୁ ଜିନିଷର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଦ୍ୱାରସ୍ଥ ହେବା ଦରକାର। ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟରେ ତ ବିଜେପି ସରକାର ତେବେ ଏ ଦିଗରେ ଏବେକାର ସରକାର କିଛି ପଦକ୍ଷେପ ନେବେ କି ? ଅନ୍ୟପଟେ ୨୦୨୨ର ଏକ ରିପୋର୍ଟ ଅନୁଯାୟୀ ୧୯୮୯ରୁ ୨୦୨୨ ମଧ୍ୟରେ ବିଶାକ୍ତ ମଦ ପିିଇ ଓଡ଼ିଶାରେ ପ୍ରାୟ ୩୩୩ ଜଣଙ୍କର ମୃତ୍ୟୁ ଘଟିସାରିଛି। ସବୁଠାରୁ ଅଧିକ ମୃତ୍ୟୁ ଏପର୍ଯ୍ୟନ୍ତ କଟକ ଜିଲ୍ଲାରେ ହୋଇଛି। ଆପଣ ଦେଖିଥିବେ ଚୋରା ମଦ ବେପାରୀ ଡେଲି ଧରାହେଉଛନ୍ତି ଆଉ ପୁଣି ବେଲ୍‌ରେ ପଳାଇଆସି ବେପାର କରୁଥିବେ। ଓଡ଼ିଶା ପୋଲିସରେ ବାର୍ଷିକ ଦୋଷୀ ସାବ୍ୟସ୍ତ ହାର ୧୫%ରୁ କମ୍‌। ସେପଟେ ଅବକାରୀ ବିଭାଗର ବାର୍ଷିକ ଦୋଷୀ ସାବ୍ୟସ୍ତ ହାର ୫%ରୁ କମ୍‌। ଦେଖିଲାବେଳକୁ ଏବେ ବିଜେପି ମନ୍ତ୍ରୀ କହିଲେଣି ଚୋରାମଦ ସମ୍ପୂର୍ଣର୍ ବନ୍ଦ କରିଦେବେ। ଏଇଟା ବାହାସ୍ଫୋଟ ନା ଆଉ କ’ଣ? ଆଉ ଗୋଟେ କଥା ଜିଲ୍ଲା ସ୍ତରରେ ଏମଡ଼ିସି ବା ମଲଟି ଡ଼ିସିପ୍ଲିନାରୀ କମିଟି ବେଆଇନ ମଦ କାରବାରକୁ ନେଇ କ’ଣ ପଦକ୍ଷେପ ନେଇଛନ୍ତି ତାକୁ ଏବେର ବିଜେପି ସରକାର ସାଧାରଣରେ ପ୍ରକାଶ କରିବେ କି ? ନା ସେଇଟା ଗଠନ ହୋଇନାହିଁ। ମିଥାଇଲ ସ୍ପିରିଟ୍ ଶିଳ୍ପାଂଚଳରେ ଓ ରଙ୍ଗ ତିଆରିରେ ବ୍ୟବହାର ହୋଇଥାଏ। ଯେଉଁମାନେ ଏ ସ୍ପିରିଟ ବେପାର କରୁଛନ୍ତି ସେମାନଙ୍କ ଗ୍ରାହକଙ୍କ ତାଲିକା ଏ ବିଜେପି ସରକାର ସାଧାରଣରେ ପ୍ରକାଶ କରିବ କି ? ଏସବୁ ଉତର ଅବକାରୀ ମନ୍ତ୍ରୀ ଆଗ ଦିଅନ୍ତୁ ତା’ ପରେ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ତାହା ଆମେ ଶୁଣିବୁ। ସେପଟେ କଂଗ୍ରେସ ବାଲା ବି ଭାରି ଜୋର ମଦ ମୃତ୍ୟୁକୁ ନେଇ କମ୍ପୁଛନ୍ତି। ୧୯୯୫ରେ କଂଗ୍ରେସ ଯେତେବେଳେ ଓଡ଼ିଶାରେ ସରକାର କଲେ ପ୍ରଚୁର ରାଜସ୍ୱ କ୍ଷତି ଦର୍ଶାଇ ୟାଙ୍କ ଦଳର ନେତାଏ ପୁଣି ମଦ ଚାଲୁକଲେ। ଯେତେବେଳେ କି ଏହା ପୂର୍ବରୁ ବିଜୁବାବୁଙ୍କ ସମୟରେ ୧୯୯୨ରେ ଏକ ବଡ଼ ମଦ ମୃତ୍ୟୁ ମାମଲା ଦେଖିବାକୁ ମିଳିଥିଲା,ଯେଉଁଥିରେ ୨୦୦ରୁ ଅଧିକ ଲୋକ ବିଶାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିଲେ। କଂଗ୍ରେସ ବାଲାଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ବିଜେଡି ବା ନବୀନ ସରକାର ଦେଶୀ, ବିଦେଶୀ ସବୁ ମଦକୁ ଅତ୍ୟଧିକ ପ୍ରାଧାନ୍ୟ ଦେଇ ଚାଲିଲେ। ନବୀନ ସରକାର ସମୟରେ ୨୦୧୨ ଫେବୃୟାରୀ ୬ରୁ ୯ ତାରିଖ ମଧ୍ୟରେ ଯେଉଁ ମଦ ମୃତ୍ୟୁ ଘଟଣାଟି ଘଟିଥିଲା ସେଥିରେ ଇଟା ଭାଟିରେ କାମ କରୁଥିବା ଅନେକ ଶ୍ରମିକ ଥିଲେ। କଟକ ଓ ଖୋର୍ଦ୍ଧାର ୪୧ଜଣ ଲୋକ ଏହି ଘଟଣାରେ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ବି ୨୦୦୬ରେ ଗଞ୍ଜାମର ରମ୍ଭା ଓ ଗୋଳବନ୍ଧରେ ୩୩ଜଣ ବିଶାକ୍ତ ମଦ ପିଇ ପ୍ରାଣ ହରାଇଥିଲେ। ୨୦୧୨ର ମଦ ମୃତ୍ୟୁ ଘଟଣାରେ ତଦନ୍ତ କରିଥିବା ଜଷ୍ଟିସ ଏ. ଏସ୍ ନାଇଡୁ କମିଶନଙ୍କ ରିପୋର୍ଟ ଏବେକାର ବିଜେପି ସରକାର ଟିକେ ସାର୍ବଜନୀନ କରିବେ କି ? କଲେ ଆମେ ସମସ୍ତେ ପୁରା ଘଟଣାକୁ ଭଲ ଭାବରେ ବୁଝିନିଅନ୍ତୁ ଆଉ ଜାଣିପାରନ୍ତୁ କିଏ ସବୁ ଏଥିପାଇଁ ଦାୟୀ। କାହିଁକି ନା ନାଇଡୁ କମିଶନଙ୍କ ରିପୋର୍ଟରେ କୁଆଡେ ଅବାକରୀ ବିଭାଗର କୌଣସି ଭୁଲ୍ ନଥିବା କୁହାଯାଇଥିଲା। ଅର୍ଥାତ ମଦ ମୃତ୍ୟୁ ମାମଲାରେ ଅବକାରୀ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଦେଲେ ସମସ୍ୟାର ସମାଧାନ ହେବନାହିଁ । ସେପଟେ ଏହି ସବୁ ମାମଲାର ବିଚାର ପାଇଁ ୧୧ଟି ଜିଲ୍ଳାରେ ଯେଉଁସବୁ କୋର୍ଟ ପ୍ରତିଷ୍ଠା ହୋଇଛି ସେଠାରେ ଅବକାରୀ ଅପରାଧରେ ୩ରୁ ୭ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଓ ୧୦ହଜାରରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟର ପ୍ରାବଧାନ ଥିବ ସେହି ମାମଲା ଗୁଡିକାର ବିଚାର ଏହି ସ୍ୱତନ୍ତ୍ର କୋର୍ଟରେ ବିଚାର ହୋଇପାରିବ ନାହିଁ। ତେଣୁ ଆଗକୁ କ’ଣ ହେବ ତାହା ଜଳ ଜଳ ଦେଖାଯାଉଛି। ସେପଟେ ଗଞ୍ଜାମ ଚିକିଟିରେ ବିଶାକ୍ତ ମଦ ପିଇ ୨ଜଣଙ୍କ ଜୀବନ ଯାଇଛି। କିନ୍ତୁ ପ୍ରକୃତରେ ରାଜ୍ୟରେ ମଦ ପିଉଥିବା ଅନେକ ଲୋକ ମୁତ୍ୟୁର ନିକଟତର ହେଉଛନ୍ତି। ଯେହେତୁ ଚିକିଟି ଭଳି ମଦ ପିଇ ହଠାତ ମେଡିକାଲରେ ପଡ଼ି ମରୁନାହାନ୍ତି ତେଣୁ ତାଙ୍କ ମୃତ୍ୟୁକୁ ମଦ ମୃତ୍ୟୁ କୁହାଯାଉନାହିଁ। କିନ୍ତୁ ଓଡ଼ିଶାରେ ଯେତେଲୋକ ମଦ ପିଉଛନ୍ତି କ’ଣ ସେମାନେ ସମସ୍ତେ ଠିକ୍ ମଦ ପିଉଛନ୍ତି। ଏମିତି ବି କିଛି ଜାଗାରେ ନକଲି ମଦ ତିଆରି ହେଉନଥିବ କି ଯେଉଁଥିରେ ମଦୁଆ ସିନା ମରୁନାହାନ୍ତି କିନ୍ତୁ ସେହି ଅପମିଶ୍ରିତ ମଦ ପିଇ ନିଜ ଜୀବନକୁ ଯନ୍ତ୍ରଣାରେ ଛଟପଟ କରି ମୁତ୍ୟୁର ସମୀପ ବା ନିକଟତର ହେଉଥିବେ। ଏକଥା ଏଇଥିପାଇଁ କୁହାଯାଉଛି କାହିଁକି ନା ଗାଁ ଗହଳିରେ ଅନେକ ଜାଗାରେ ଅଜବ ଅଜବ ଟେଷ୍ଟ ଥିବା ମଦ ମିଳୁଛି। ଆଉ ତାକୁ ଲୋକେ ପିଉଛନ୍ତି କିନ୍ତୁ ତାହା ନକଲି କି ଅସଲି ତାହାର ଯାଂଚ ପାଇଁ କେହି ଚେଷ୍ଟା କରୁନାହାନ୍ତି। କାରଣ ଏଠି ମୃତ୍ୟୁ ହେଲେ ଯାଇ ଚେତା ପଶେ, ତା ପୂର୍ବରୁ ନୁହେଁ। ଏହା ବ୍ୟତୀତ ଅନେକ ମଦ ଦୋକାନୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ମଦ ବିକୁଥିଲେ ବି ସଂପୃକ୍ତ ପ୍ରଶାସନିକ ଅଧିକାରୀ ଏନେଇ ନିୟମିତ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଉନାହିଁ। ଅନ୍ୟପଟେ କିଛି ନକଲି ସାମ୍ବାଦିକ ମାଗଣାରେ ମଦ ଦୋକାନରୁ ମଦ ନେଇ ପିଇବା ସହ ଚାନ୍ଦା ମଧ୍ୟ ନିଅନ୍ତି। ଯଦି ଏହି ମଦ ଦୋକାନୀମାନେ କିଛି ଭୁଲ କରୁନାହାନ୍ତି ତେବେ ଏ ସାମ୍ବାଦିକମାନଙ୍କୁ ଚାନ୍ଦା କିଆଁ ଦେଉଛନ୍ତି। ଏସବୁ ପରିଷ୍ଟିତିରେ ରାଜ୍ୟରେ ଚୋରା ମଦ କାରବାର ଯେ ବନ୍ଦ ହୋଇଯିବ ଏହା ଭାବି ହେଉ ନାହିଁ |

https://www.youtube.com/watch?v=trtTD7eqnfM