ନାଗରିକଙ୍କୁ ସୁରକ୍ଷା ଦେଇପାରୁନି ନୂଆ ଆଇନବିଜେପିର ବଡ଼ପଣ୍ଡାଙ୍କୁ ପ୍ରଶ୍ନ, କୁଆଡେ ଗଲା ଓଡ଼ିଆ ଅସ୍ମିତା ମୋହନ ସରକାରଙ୍କ ପାଇଁ ରାଜ୍ୟପାଳ ଅଡୁଆ । ସପ୍ତାହେ ଧରି ସାରା ରାଜ୍ୟରେ ଛି ଛାକର ଚାଲିଛି । ବିଜେପି ସରକାର ଆଣିଥିବା ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା ରେ ସାଧାରଣ ଲୋକ ଓ ବଡ ବଡ଼ିଆଙ୍କ ପାଇଁ ଅଲଗା ଦଣ୍ଡର ବ୍ୟବସ୍ଥା ରହିଛି କି ? ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ବଡ ବଡ଼ିଆଙ୍କ ପାଇଁ ପୋଲିସ ତଥା ନ୍ୟାୟ ବ୍ୟବସ୍ଥା ଅଲଗା ଢ଼ଙ୍ଗରେ କାର୍ଯ୍ୟ କରିବା ନେଇ ଉଲ୍ଲେଖ ଅଛି କି ? ଏହି ନୂଆ ଆଇନ ବିଷୟରେ ଅଧିକ ସଚେତନ ନଥିବା ଅନେକ ଓଡ଼ିଶା ଲୋକ ଏବେ ଏଭଳି ଚର୍ଚ୍ଚା କରୁଛନ୍ତି । ବିଜେପି ସରକାରର ନାଗରିକ ସୁରକ୍ଷା ସଂହିତା ଆସିବା ପରେ ଖୋଦ୍ ରାଜ୍ୟପାଳଙ୍କ ନିକଟରେ କାର୍ଯ୍ୟକରୁଥିବା ଅଧିକାରୀ କିପରି ସୁରକ୍ଷିତ ରହିପାରିଲେ ନାହିଁ । ପୁରୁଣା ସିଆରପିସି ରେ ଧାରା ୧୫୪ରେ ଯେଉଁ ବ୍ୟବସ୍ଥା ଥିଲା ତାହାକୁ ବଦଳାଇ ନୂଆ ଆଇନରେ ଧାରା ୧୭୩ରେ ସେ ବ୍ୟବସ୍ଥା କରାଯାଇଛି । ନୂଆ ଆଇନ ଅନୁସାରେ ଜଣେ ନାଗରିକ ଯେକୌଣସି ସ୍ଥାନରୁ ଏଫଆଇଆର କରିପାରିବ । ଯାହାକୁ ଜିରୋ ଏଫଆଇଆର କହି ବିଜେପି ଅନେକ ବାହା ବାହା ସାଉଁଟିଛି । କିନ୍ତୁ ଏଏସଓଙ୍କ ଘଟଣାରେ ଅଦ୍ୟାବିଧି ଏଫଆଇଆର ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି । କ’ଣ ବିଜେପି ଶାସନରେ ଏହି ଜିରୋ ଏଫଆଇଆର ର ଅର୍ଥ ବଡ଼ ବଡ଼ିଆଙ୍କ ନାଁରେ ଅଭିଯୋଗ ଆସିଲେ କେସ୍ ପଞ୍ଜୀକୃତ ନ କରି ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦେବାକୁ ବିଲକୁଲ ଏଫଆଇଆର ନ କରିବ । ଏମିତି କିଛି ଚର୍ଚ୍ଚା ବି ଲୋକଙ୍କ ଭିତରେ ଆରମ୍ଭ ହେଲାଣି । ଅନ୍ୟପଟେ ଯଦି ପୋଲିସ ଷ୍ଟେସନର ଅଧିକାରୀ ବୈଦ୍ୟୁତିକ କିମ୍ବା ଜିରୋ ଏଫଆଇଆର ପଞ୍ଜୀକୃତ ନ କରନ୍ତି ତେବେ ନୂଆ ଆଇନର ଧାରା ୧୭୩(୪) ଅନୁଯାୟୀ ଏସ୍ପିଙ୍କ ନିକଟରେ ଅଭିଯୋଗ କରାଗଲେ ଏସପି ଏହାକୁ ପଞ୍ଜୀକୃତ କରିବା ସହ ସେ ନିଜେ କିମ୍ବା ତାଙ୍କ ତଳ ର୍ୟାଙ୍କର ଜଣେ ଅନ୍ୟ ପୋଲିସ ଅଧିକାରୀଙ୍କୁ ଏହାର ତଦନ୍ତ କରିବାକୁ ଦାୟିତ୍ୱ ଦେଇପାରିବେ । କିନ୍ତୁ ଏଏସଓଙ୍କ କ୍ଷେତ୍ରରେ ଏସବୁକୁ କାହିଁକି ଅଣଦେଖା କରାଯାଉଛି । ରାଜ୍ୟପାଳଙ୍କ ପୁଅଙ୍କ କ୍ଷେତ୍ରରେ ନାଗରିକ ସୁରକ୍ଷା ସଂହିତା ଅଚଳ ହୋଇଯାଉଛି କାହିଁକି? ସେପଟେ ଏହି ଘଟଣାକୁ ନେଇ ରାଜନୀତି ଚରମ ସୀମାରେ ପହଂଚିଲାଣି । ସବୁଠୁ ଆଶ୍ଚର୍ଯ୍ୟ ର କଥା ସପ୍ତାହେ ତଳୁ ଏ ଘଟଣା ଘଟିଥିଲେ ବି ସପ୍ତାହେ ପରେ ରାଜ୍ୟପାଳ ସମୟ ମାଗିବା ବଡ଼ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଲାଣି । ସମୟ ନେଇ ଆଇନ ଗଳାବାଟ ପାର ହେବାକୁ ଯଦି ରାଜ୍ୟପାଳ ଚେଷ୍ଟା କରନ୍ତି ତେବେ ସାମ୍ବିଧାନିକ ପଦପଦବୀରେ ବସିଥିବା ଲୋକଙ୍କ ପାଖରେ ନାଗରିକମାନଙ୍କ ପ୍ରତି ଶୂନ୍ୟ ସମ୍ବେଦନତାଶୀଳତା ରହିଛି ବୋଲି ମେସେଜ ଯିବ । ଓଡ଼ିଶାରେ ବିଜେପି ଯଦି ଏଭଳି ମେସେଜ ଦିଏ ତେବେ ଏ ସରକାରଙ୍କୁ ଲୋକେ ଭରଷା କରିପାରିବେ ତ ? ଅନ୍ୟପଟେ ସଂପୃକ୍ତ ଏଏସଓଙ୍କ ପତ୍ନୀ ବି ନ୍ୟାୟ ପାଇଁ ଦାବି କଲେଣି । ରାଜ୍ୟପାଳ ସମୟ ମାଗିବାକୁ ନେଇ କଂଗ୍ରେସ ରାଜଭବନ ଘେରିବାକୁ ଚେଷ୍ଟା କରିଛି । କଂଗ୍ରେସ କହିଛି ରାଜ୍ୟପାଳ ନିଜ ପୁଅ ପାଇଁ ଅନ୍ତରୀଣ ଜାମିନ ଆଣିବାକୁ ଏହି ସମୟ ମାଗିଥାଇପାରନ୍ତି । ଯଦି ଏହା ହୋଇଥାଏ ତେବେ ରାଜ୍ୟପାଳ ରାଜଧର୍ମ ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ପୂର୍ବରୁ ବିଜେଡି ବି ଏହାକୁ ନେଇ ଉଭୟ ସରକାର ଓ ରାଜ୍ୟପାଳଙ୍କୁ କଡା ସମାଲୋଚନା କରିସାରିଛି । ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନ ଥିବା କହି ରାଜ୍ୟପାଳଙ୍କୁ କଟାକ୍ଷ କରିଥିଲେ ବିଜେଡି ନେତା ପ୍ରତାବ ଦେବ । ସବୁଠୁ ବଡ଼ କଥା ହେଉଛି ଏହି ଘଟଣା ଘଟିବା ଦିନଠାରୁ ଓଡ଼ିଆ ଅସ୍ମିତାକୁ ନେଇ ରାଜନୀତି ଜୋର ଧରିଛି । ଜଣେ ଓଡ଼ିଆ ଅଫିସରଙ୍କୁ ଜଣେ ଅଣଓଡ଼ିଆ ଲୋକ ପିଟିବା ଘଟଣାରେ ବିଜେପିର ବଡ଼ପଣ୍ଡମାନେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ସୁଲତା କହିଛନ୍ତି ଯେତେବେବେଳେ ଛତିଶଗଡର ଲୋକ ଜଣେ ଓଡ଼ିଆକୁ ମାଡ଼ ମାରିବା ସହ ତା ଜୋତା ସଫା କରିବାକୁ କହୁଛି ସେତେବେଳେ ଓଡ଼ିଆ ଅସ୍ମିତା ଶୋଇପଡ଼ିଲା କେମିତି? ତେଣୁ ବିଜେପିର ସେ ବଡ଼ପଣ୍ଡାମାନଙ୍କୁ ଓଡ଼ିଆ ଅସ୍ମିତା କୁଆଡେ ଯାଇଛି ବୋଲି ପଚରାଯିବା ଦରକାର ବୋଲି କହିଛନ୍ତି ସୁଲତା । ତେବେ ରାଜ୍ୟପାଳଙ୍କ ପୁଅଙ୍କର ଏ କାଣ୍ଡ ପାଇଁ ବିଜେପିକୁ ଆଗକୁ କି ମୂଲ୍ୟ ଦେବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।