ମୋହନଙ୍କୁ ଏଜି ଅଡୁଆ

Share

୨୦୨୪ ନିର୍ବାଚନର ଏକବର୍ଷ ପୂର୍ବରୁ ସେପ୍ଟେମ୍ବର ୨୦୨୩ ଆଡକୁ ରାଜଧାନୀରେ ବିଜେଡି ସରକାରକୁ ଅଣନିଶ୍ୱାସୀ କରିଥିଲେ ଅପରାଜିତା ଷଡଙ୍ଗୀ । ପ୍ରସଙ୍ଗ ଥିଲା ବ୍ୟବସାୟୀ କିରୁଥିକା ପ୍ରଭାକରନଙ୍କ ବେଆଇନ ଜମି ଜବରଦଖଲ । ଦୁଇ ବର୍ଷ ଧରି କେନାଲ ପାଣି ମାଡି ପାରୁନଥିବା ଅଭିଯୋଗ କରି ନିଜେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଡେରାଶ ଡ୍ୟାମ ପାଖରେ ଥିବା କିରିଙ୍ଗାପୁଟ ଗାଁରେ କେନାଲ ଭିତରେ କାଦୁଅରେ ପଶି ମାଟି ତାଡିଥିଲେ । ଯାହା ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା । କିରୁଥିକା ପ୍ରଭାକରନ ହେଉଛନ୍ତି ଖଣି ବ୍ୟବସାୟୀ ବି ପ୍ରଭାକରନଙ୍କ ପତ୍ନୀ । କିନ୍ତୁ ଅପରାଜିତାଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରି କୃଥିକା ଅପରାଜିତାଙ୍କୁ ଲିଗାଲ ନୋଟିସ ଦେଇଥିଲେ । ପ୍ରଭାକରନ ଦମ୍ପତି ବିଜେଡିର ଛତ୍ରଛାୟା ତଳେ ସବୁକିଛି କରୁଥିବା ନେଇ ଚର୍ଚ୍ଚା ବି ହେଉଥିଲା । ତେଣୁ ବିଜେଡିକୁ ଘେରିବାକୁ ଅପରାଜିତା ଏହି ଇସ୍ୟୁକୁ ଏକ ମାଷ୍ଟରଷ୍ଟ୍ରୋକ ଭାବେ ନେଇଥିଲେ । ସେତେବେଳେ ପ୍ରଭାକରନଙ୍କ ତରଫରୁ ମାମଲା ଲଢ଼ୁଥିଲେ ବରିଷ୍ଠ ଆଇନଜୀବୀ ମାନସ କୁମାର ମହାପାତ୍ର । ମାନସ ମହାପାତ୍ର ଅପରାଜିତାଙ୍କୁ ଏ ନେଇ କଡା ସମାଲୋଚନା ବି କରିଥିଲେ । ବିନା ତଥ୍ୟ ପ୍ରମାଣରେ ଜଣେ ମହିଳା ହୋଇ ଅନ୍ୟ ଜଣେ ମହିଳାଙ୍କ ମାନସମ୍ମାନ ହାନି କରୁଛନ୍ତି ବୋଲି ସେତେବେଳେ ମିଡ଼ିଆରେ କହିଥିଲେ । ଏବେ ବିଜେପିର ଗୋଟିଏ ଗୋଷ୍ଠୀ ବିରଷ୍ଠ ଆଇନଜୀବୀ ମାନସ ମହାପାତ୍ରଙ୍କୁ ଏଜି ପଦବୀରେ ବସାଇବାକୁ ଚାହୁଁଛନ୍ତି । ତାଙ୍କର ଦକ୍ଷତା ଯେ ନିଶ୍ଚିତ ବିଜେପିକୁ ଆଇନଗତ ଦିଗରେ ଏକ ବଡ ସୁରକ୍ଷା ହେବ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ବିଜେଡିର ଗୋଟିଏ ଗୋଷ୍ଠୀ ତାଙ୍କ ସହ ସୁସମ୍ପର୍କରେ ଥିବାରୁ ତାଙ୍କୁ ଏଜି ପଦବୀରେ ନ ବସାଇବାକୁ କିଛି ନେତା ଭିତିରିଆ ଦାବି କରିଛନ୍ତି । ଅନ୍ୟପଟେ ୨୦୦୯ରୁ ଏକ ବଡ ବ୍ୟବଧାନରେ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଜିତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହେଉଥିବାବେଳେ ୨୦୧୯ରେ ନବୀନଙ୍କୁ ଚ୍ୟାଲେଞ୍ଜ କରିବାକୁ ଆଗେଇ ଆସିଥିଲେ ବିଜେପି ନେତା ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ୨୦୧୯ରେ ପିତାମ୍ବରଙ୍କ ପ୍ରଚାର ସେତେବେଳେ ମିଡିଆରେ ଖୁବ୍ ଚର୍ଚ୍ଚିତ ଥିଲା । ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ ପିତାମ୍ବର ପ୍ରଚାର କରିଥିଲେ । ଫଳରେ ପୂର୍ବରୁ ବିଜେପି ଖାତାରେ ଥିବା ମାତ୍ର ୧୦% ଭୋଟ ୨୦୧୯ରେ ୨୩%ରେ ପହଂଚିଥିଲା । ପିତାମ୍ବରଙ୍କ ପାଇଁ ହୁଏତ ୨୦୨୪ରେ ଏହି ଭୋଟ ପ୍ରତିଶତ ୪୩%ରେ ପହଂଚିଛି । ଫଳରେ ଗତ ନିର୍ବାଚନରେ ବହୁ କମ୍ ଭୋଟ ମାର୍ଜିନରେ ନବୀନ ପଟ୍ଟନାୟକ ବିଜୟୀ ହୋଇଛନ୍ତି । ଏପରିକି କଂଟାବାଞ୍ôଝରେ ନବୀନ ଯେମିତି ପରାଜିତ ହେଲେ ଯଦି ବିଜେପି ହିଞ୍ଜିଳି ଆସନରେ ଅଧିକ ଟିକେ ଫୋକସ କରିଥାନ୍ତା ହୁଏତ ନବୀନ ପଟ୍ଟନାୟକ ବି ଏଥର ବିରୋଧୀ ଦଳ ନେତା ହେବାରୁ ବଂଚିତ ହୋଇଥାନ୍ତେ । ଏସବୁର ଶ୍ରେୟ ପଛରେ ପିତାମ୍ବରଙ୍କର ମଧ୍ୟ ଏକ ବଡ଼ ଅବଦାନ ରହିଛି ବୋଲି ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ପିତାମ୍ବର ଆଚାର୍ଯ୍ୟ ବିଜେପି ପାଇଁ ଅନେକ କେସ୍ ଲଢ଼ିଛନ୍ତି । ଯେଉଁ ରତ୍ନଭଣ୍ଡାର ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରି ଆଜି ବିଜେପି ସରକାରରେ ବସିଛି ସେହି ମାମଲାରେ ବିଜେପି ତରଫରୁ ପିତାମ୍ବର ଆଚାର୍ଯ୍ୟ ହାଇକୋର୍ଟରେ କେସ୍ ଲଢ଼ିଛନ୍ତି । ଏହା ସହ ଅନ୍ୟ ମାମାଲରେ ମଧ୍ୟ ବିଜେପି ପାଇଁ ମାମଲା ପରିଚାଳନା କରିଥାନ୍ତି ପିତାମ୍ବର । ଏବେ ସେ ଦଳର ମୁଖପାତ୍ର ବି ଅଛନ୍ତି । ତେଣୁ ତାଙ୍କ ନାଁ ପ୍ରଥମରୁ ସର୍ବାଗ୍ରେ ଆସୁଥିଲା । ସେ ଏଜି ହେବା ଏକ ପ୍ରକାର ନିଶ୍ଚିତ ଥିଲା । କିନ୍ତୁ ବିଜେପି ମନ୍ତ୍ରୀମାନେ ଦୁଇଗୋଷ୍ଠୀ ହୋଇଯାଇଥିବାରୁ ମୋହନ ସରକାର ଉଭୟ ମାନସ ମହାପାତ୍ର ଓ ପିତାମ୍ବର ଆଚାର୍ଯ୍ୟ କାହାକୁ ଏଜି ଭାବେ ନିଯୁକ୍ତି ତାହା ସ୍ଥିର କରିପାରୁନାହାନ୍ତି । କାରଣ ସରକାରଙ୍କୁ ଆଇନଗତ ଦିଗରେ ସବୁଠୁ ଅଧିକ ସୁରକ୍ଷାର ଆବଶ୍ୟକତା ହୋଇଥାଏ । ତେଣୁ ଏଜି ଚୟନରେ ଯଦି କିଛି ବିବାଦ ରୁହେ ତେବେ ତାହା ସରକାରଙ୍କ ପାଇଁ ଅଡୁଆ ହୋଇପାରେ । ଏଭଳି ପରିସ୍ଥିତିରେ ମୋହନ ସରକାର ଏଜି ନିଯୁକ୍ତି କରିପାରୁନଥିବାରୁ ଅନେକ ସାମଲୋଚନାର ଶିକାର ହେବାକୁ ଲାଗିଲେଣି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏନେଇ ବାରମ୍ବାର ଟିପ୍ପଣୀ କରୁଥିଲେ ବି ମୋହନ ସରକାର କୌଣସି ଠୋସ୍ ପଦକ୍ଷେପ ନେଇପାରୁନାହାନ୍ତି । ଅନ୍ୟପଟେ ଚର୍ଚ୍ଚା ହେଉଛି ବିଜେପି ଭିତରେ ଏଭଳି ଦ୍ୱନ୍ଦକୁ ଦେଖି ଦଳକୁ ପଛପଟୁ ପରିଚାଳନା କରୁଥିବା ସଂଘ ପରିବାର ଆଉ କାହାର ନାମକୁ ସୁପାରିଶ କରି ଏହି ସମସ୍ୟାରେ ସମାଧାନ କରିପାରନ୍ତି । ତେବେ ଆଗାମୀ ଦିନରେ ଏଜି ନିଯୁକ୍ତି ନିଷ୍ପତି ଯଦି ମୋହନ ସରକାର ନେଇ ନ ପାରନ୍ତି, ଏଥିପାଇଁ ଯଦି ସଂଘର ନିଷ୍ପତି ବିକଳ୍ପ ହୁଏ ତେବେ ମୋହନ ସରକାରର ନିଜେ ନିଷ୍ପତି ନେଇପାରୁନାହାନ୍ତି ବୋଲି ଏକ ସମାଲୋଚନା ସରକାର ବିରୁଦ୍ଧରେ ତିଆରି ହୋଇପାରେ । ଯାହା ନୂତନ ବିଜେପି ସରକାର ପାଇଁ ଶୁଭଙ୍କର ହେବ ନାହିଁ । ତେବେ ଆଗକୁ କିଏ ଏଜି ଭାବେ ନିଯୁକ୍ତି ପାଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।