କାହା ହାତରେ ଭଦ୍ରକ ବିଜେଡି!

Share

୨୦୨୪ ସାଧାରଣ ନିର୍ବାଚନ ପରେ ଭଦ୍ରକ ରାଜନୀତିରେ ବିଜେପି ଭିତରେ ଉତ୍ସାହ ଥିଲେ ବି ନିର୍ବାଚନ ସମୟରେ ବିଜେଡି ଛାଡି ବିଜେପିରେ ମିଶିଥିବା ଡଜନେ ନେତାଙ୍କ ସ୍ଥିତି ଭାରି ଦୟନୀୟ। ଦଳ ଡେଇଁ ସାରିଲା ପରେ ଏବେ ଅଲୋଡା ହୋଇ ପଡ଼ି ରହିଛନ୍ତି। ନିର୍ବାଚନ ସମୟରେ ସେମାନଙ୍କୁ ଯେତେ ଗୁରୁତ୍ୱ ଦିଆଯାଇଥିଲା ନିର୍ବାଚନ ସରିବା ପରେ ବିଜୟୀ ନେତା ନୂଆ ଟିମ୍ କରି ଦଳୀୟ କାର୍ଯ୍ୟ ଆରମ୍ଭ କରିଥିବା ଦେଖାଯାଇଥିଲା। ଯଦିଓ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହେବା ପରେ ସେହି ଦଳ ଡିଆଁ ନେତାଙ୍କୁ କାଁ ଭାଁ କେଉଁଠି କେମିତି ଏବେ ଦେଖିବାକୁ ମିଳିଲାଣି। କିନ୍ତୁ ସେମାନେ ଯେଉଁ ଉଦ୍ଦେଶ୍ୟରେ ଦଳ ଡେଇଁଥିଲେ ସେଭଳି କିଛି ସେମାନେ ଏବେ ପାଇନାହାନ୍ତି କି ଆଗକୁ ପାଇବେ ବୋଲି ଆଶା ନଥିବା ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚା ପଛରେ କାରଣଟି ହେଉଛି, ଅନେକ ନେତା ବିଜେଡି ଛାଡ଼ି ବିଜେପିରେ ମିଶିବା ପଛରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଚେଷ୍ଟା ଓ ସହମତି ଥିଲା। କିନ୍ତୁ ମନମୋହନ ସାମଲ ନିଜେ ପରାଜୟ ସ୍ୱୀକାର କରିବା ଓ ଭଦ୍ରକ ଜିଲ୍ଲାରେ ବିଜେପି ପାୱାର କରିଡରେ ଅନ୍ୟ ଏକ କ୍ଷମତା କେନ୍ଦ୍ର ମଜବୁତ୍ ଭାବେ ଉଭା ହେବାରୁ ଦଳ ଡିଆଁ ନେତାଙ୍କୁ ପୁରୁଣା ବିଜେପି କର୍ମୀଙ୍କ ଭିତରେ ମିଶାଇ କାର୍ଯ୍ୟକ୍ରମ କରାଇବାକୁ ଦୋ ଦୋ ପାଂଚ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ପୁରୁଖା ବିଜେପି କର୍ମୀ ଏହି ଦଳ ଡିଆଁ ନେତାଙ୍କୁ ସମସ୍ତ କାର୍ଯ୍ୟକ୍ରମରେ ସାମିଳ କରିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି । ଆଉ ପୁରୁଖା ବିଜେପି କର୍ମୀଙ୍କ ମତକୁ ନେଇ ବିଜେପି ନେତାଏଁ ଦ୍ୱନ୍ଦ ଭିତରକୁ ଟାଣି ହେବାକୁ ଚାହୁଁ ନାହାନ୍ତି। ତେଣୁ ଦଳ ଡିଆଁ ନେତାଙ୍କ କଥା ଏବେ ଅନାଲୋଚ୍ୟ ହୋଇ ପଡ଼ିରହିଛି। ସେପଟେ ବିଜେଡି ଭିତରେ ବି ଦ୍ୱନ୍ଦ ଆହୁରି ଜଟିଳ। ପୁରା ଜିଲ୍ଲାରେ ବିଜେଡି ଦଳର ନେତୃତ୍ୱ କିଏ ନେବ ତାକୁ ନେଇ ଦ୍ୱନ୍ଦ ରହିଛି। ବିଶେଷ କରି ଭଦ୍ରକ ସହର ବା ଭଦ୍ରକ ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଅଧିକ ରୋମାଚଂକର ହେଉଛି। ୨୦୧୯ରେ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ବିଜେଡି ଏଥର ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରି ବିଜୟ ପାଇଛି। କିନ୍ତୁ ଭଣ୍ଡାରିପୋଖରୀ ଛାଡି ଭଦ୍ରକରୁ ପ୍ରାର୍ଥୀ ହୋଇଥିବା ବିଜେଡିର ପୁରୁଖା ନେତା ପ୍ରଫୁଲ୍ଲ ସାମଲ ପରାଜୟ ହାସଲ କରିବା ପରେ ବିଜେଡିର ସାଙ୍ଗଠନିକ ଅଙ୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହି ଦୁଇ ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ କନ୍ଦଳ ଜଳ ଜଳ ଦେଖାଯାଉଥିବାବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି, ବାସୁଦେବପୁର ଓ ଧାମନଗରରେ ସେମିତି କିଛି ବିଶେଷ କନ୍ଦଳ ଦେଖାଯାଉନାହିଁ। ତେଣୁ ପୁରା ଜିଲ୍ଲାରେ ଭଣ୍ଡାରିପୋଖରୀ ଓ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜେଡି ଭିତରେ କ’ଣ ଚାଲିଛି ତାକୁ ନେଇ ଚର୍ଚ୍ଚା ଅଧିକ ହେଉଛି। ଏଇ କିଛି ଦିନ ତଳେ ଭଦ୍ରକ ମୁଖ୍ୟାଳୟ କଥା ବୁଝିବାକୁ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଦାୟିତ୍ୱ ମିଳିଥିବା ଶୁଣିବାକୁ ମିଳିଥିଲା। ଏହି ଚର୍ଚ୍ଚା ପରେ ପ୍ରଫୁଲ୍ଲ ତଥା ତାଙ୍କ ପୁଅ ଲୁଲୁ ଓ ସଞ୍ଜୀବଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନ୍ୟ ପ୍ରକାର ଚର୍ଚ୍ଚା ଜୋର ଧରିଲା। ଯଦିଓ ହାଇକମାଣ୍ଡଙ୍କ ଆଦେଶ ମୁତାବକ ଏହି ନିଷ୍ପତିକୁ ଖୋଲାଖୋଲି କେହି ବିରୋଧ କରିବାକୁ ସାହସ କରୁନାହାନ୍ତି। କିନ୍ତୁ ଚର୍ଚ୍ଚା ହେଉଛି ଖୁବ୍ ଶୀଘ୍ର ଆଉ ଏକ ଦଳଡିଆଁ ପର୍ବ ଜିଲ୍ଲାରେ ଦେଖିବାକୁ ମିଳିପାରେ। ଅନ୍ୟପଟେ ଜିଲ୍ଲାର ଦାୟିତ୍ୱ ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ହାତରେ ଥିଲେ ତାହା କେବଳ ଲୋକ ଦେଖାଣିଆ। ତେଣୁ ଜିଲ୍ଲାର ୪ ଟାଣୁଆ ବିଜେଡି ନେତା ବ୍ୟୋମକେଣ ରାୟ, ମୁକ୍ତିକାନ୍ତ ମଣ୍ଡଳ, ପ୍ରଫୁଲ୍ଲ ସମାଲ ଓ ସଞ୍ଜୀବ ମଲ୍ଲିକ କିଏ ଜିଲ୍ଲା କଥା ବୁଝିବେ ତାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରୁ ପ୍ରଫୁଲ୍ଲଙ୍କ ନାମ ବାଦ୍ ପଡ଼ିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ବିଜେଡି ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଯିଏକି ମୁକ୍ତିକାନ୍ତ ମଣ୍ଡଳଙ୍କ ଧର୍ମପତ୍ନୀ ଏମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଲୋକମାନେ ନାପସନ୍ଦ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନିଜ ଦଳରେ କଠୋର ବିରୋଧ ସତ୍ୱେ ମୁକ୍ତିକାନ୍ତ ମଣ୍ଡଳଙ୍କ ପତିଆରା ସେତେଟା ଖରାପ ନଥିଲା । କାହିଁକି ନା ବିଜେପି ପ୍ରାର୍ଥୀ ଅଭିମନ୍ୟୁ ନିଜ ବିଧାନସଭା କ୍ଷେତ୍ରରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଠାରୁ ୯ହଜାର ଭୋଟ କମ୍ ମିଳିଥିଲା। କିନ୍ତୁ ମଞ୍‌ୁଲତା ମଣ୍ଡଳଙ୍କୁ ନିଜ ବିଧାନସଭା କ୍ଷେତ୍ରରେ ପ୍ରତିପକ୍ଷ ଠାରୁ ମାତ୍ର ୧ହଜାର ଭୋଟ କମ୍ ମିଳିଥିଲା। ତେଣୁ ଏହା ନିଶ୍ଚିତ କରୁଛି ଯେ ମୁକ୍ତିକାନ୍ତ ମଣ୍ଡଳଙ୍କ ପାଖରେ ପ୍ରତିକୂଳ ପରସ୍ଥିତିରେ ନେତୃତ୍ୱ ସମ୍ଭାଳିବାର କ୍ଷମତା ରହୁଛି। କିନ୍ତୁ ବାସୁଦେବପୁର ସିଟ ବିଷ୍ଣୁବ୍ରତ ହାରିବା ପଚ୍ଛରେ ମୁକ୍ତି ହିଁ ଦାୟୀ ବୋଲି କୁହା ଯାଉଛି । ଆଉ ଏଥିପାଇଁ ଦଳ ଭିତରେ ତାଙ୍କର ଛବି ମଳିନ ଥିବା ଚର୍ଚ୍ଚା ହୁଏ। କିନ୍ତୁ ତାଙ୍କର ନୀରବତା ତାଙ୍କର ସାଂଗଠନିକ କ୍ଷମତାକୁ ସୁଯୋଗ ଦେଇପାରେ। କିନ୍ତୁ ବର୍ତମାନ ପରିସ୍ଥିତିରେ ସଞ୍ଜୀବ ମଲ୍ଲିକ ବିଜେଡିର ସବୁଠୁ ଭରଷାଯୋଗ୍ୟ ଭାବେ ଉଭା ହୋଇଛନ୍ତି। କିନ୍ତୁ ଦଳ ଯଦି ଜିଲ୍ଲା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରେ ତେବେ ତାହା ଦଳ ପାଇଁ ସେତେଟା ଲାଭଦାୟୀ ହେବ ନାହିଁ। ଯଦିଓ ତାଙ୍କୁ ବ୍ୟୋମକେଶ ରାୟ ସମର୍ଥନ କରିବେ କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ସଞ୍ଜୀବ ଦଳର ଅଜ୍ଞାଧୀନ ହୋଇଥିଲେ ସାଂଗଠନିକ କ୍ଷେତ୍ରରେ ସେତେ କୌଶଳୀ ନୁହନ୍ତି। ବିଶେଷ କରି ନିଜ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ତାଙ୍କ ସଙ୍ଗଠନକୁ ତାଙ୍କରି ଦଳର ନେତା ଚେକ୍ ଦେବା ଆରମ୍ଭ କଲେଣି। ଯେମିିତି ଭଦ୍ରକରେ ଯୁଗଳ ପଟ୍ଟାନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ବିରୋଧର ଶିକାର ହୋଇ ଗତ ୫ ବର୍ଷ ବିତିଥିଲା ଠିକ୍ ସମାନ ପରିିସ୍ଥିତି ବର୍ତମାନ ଭଣ୍ଡାରିପୋଖରୀରେ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ବିଜେଡି ଦାୟିତ୍ୱ କାହା ମୁଣ୍ଡରେ ରହିବ ତାକୁ ନେଇ ଆଜି ବି ଅନେକ ସସପେନ୍ସ ରହିଛି।