ରାଜ୍ୟ ରାଜନୀତିର କେନ୍ଦ୍ରସ୍ଥଳ ହେଉଛି ରାଜଧାନୀ । ତେଣୁ ରାଜଧାନୀରେ ଯଦି କିଛି ଘଟଣା ଘଟେ କିମ୍ବା ଘଟଣା ଘଟା ଯାଏ ତେବେ ତାହା ସହଜରେ ସାରା ରାଜ୍ୟକୁ ବ୍ୟାପି ଯାଇପାରିବ। ଏହି ନ୍ୟାୟରେ ଏବେ ରାଜ୍ୟ ରାଜନୀତିରେ କିଛି ଘଟଣା ଘଟୁଛି ବୋଲି ଚର୍ଚ୍ଚା ହେଉଛି । ଅର୍ଥାତ ମୋଟାମୋଟି କହିବାକୁ ଗଲେ ବିଜେଡି ଫାଟୁଛି ବୋଲି ଯେଉଁ ଚର୍ଚ୍ଚାଟି ହେଉଛି ତାହା ପ୍ରାୟୋଜିତ ହୋଇଥାଇପାରେ। ଏମିତି କିଛି ଚର୍ଚ୍ଚାକୁ ଆଜିର ଏହି ତର୍ଜମା । ନମସ୍କାର ମୁଁ ସତ୍ୟବ୍ରତ ଆପଣ ମୋ ସହ ଦେଖୁଛନ୍ତି ତର୍ଜମା । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେଡିକୁ ନେଇ ନାହିଁ ନ ଥିବା ଆକଳନ କରାଯାଉଛି । ପ୍ରଥମେ ଦଳର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଇ ତୁମ୍ବି ତୋଫାନ ଚାଲିଲା । ଆଉ ହଠାତ୍ ପଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା ପରେ ଏହି ତୁମ୍ବୀ ତୋଫାନ ବନ୍ଦ ହେଇଗଲା । ଏହାପରେ ଭିତରେ ଭିତରେ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଯେଉଁ ଚର୍ଚ୍ଚାଟି ନିର୍ବାଚନ ପୂର୍ବରୁ ଚାଲିଥିଲା ସେ ଚର୍ଚ୍ଚାଟି ବି ନବୀନ ନିଜେ ବିରୋଧୀ ଦଳ ନେତା ହୋଇ ସମସ୍ତଙ୍କ ପାଟିକୁ ଚୁପ୍ କରାଇଦେଲେ। ଏହାପରେ ବବି ଓ ଜିତୁଙ୍କୁ ନେଇ ଆଉ ଗୋଟିଏ ଚର୍ଚ୍ଚା ମିଡ଼ିଆରେ ଟ୍ରେଣ୍ଡି ହେଲା କିନ୍ତୁ ତାକୁ ଶାସକ ବିଜେପିର ବରିଷ୍ଠ ନେତା ମାନେ ବିଲକୁଲ ଗୁରୁତ୍ଵ ଦେଲେ ନାହିଁ । ଏହାରି ଭିତରେ ରାଜଧାନୀରେ ୨୦୨୪ ନିର୍ବାଚନ ସମୟରେ ବିଜେଡି ଟିକେଟ ପାଇଁ ଯେଉଁ କନ୍ଦଳ ତିଆରି ହୋଇଥିଲା ତାହା ମହାନଗର ନିଗମର ବିଭିନ୍ନ କମିଟିର ଅଧ୍ୟକ୍ଷ ପଦ ନିର୍ବାଚନ ବେଳେ ଆଉଥରେ ପଦାକୁ ଆସିଲା । ଭୁବନେଶ୍ୱର ମଧ୍ୟ ବିଜେଡି ଟିକେଟ ପାଇଁ ଯେଉଁ ଅମରେଶ ଓ ଅନନ୍ତ ବିବାଦ ଦେଖା ଦେଇଥିଲା ତାହା ଆଉଥରେ ଉଜ୍ଜୀବିତ ହେଲା । ୭ ଟି ଅଧ୍ୟକ୍ଷ ପଦ ମଧ୍ୟରୁ ୬ ଟିରେ ନିର୍ବାଚନ ନ ହୋଇ ସିଧାସଳଖ ଅଧ୍ୟକ୍ଷ ବଛା ଯାଇଥିବା ବେଳେ ପରିମଳ କମିଟିର ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ିର ଦୁଇ ନେତା ନାମାଙ୍କନ କଲେ । ଆଉ ଏହାକୁ ନେଇ ବିଜେଡି ଭିତରେ ତିଆରି ହୋଇଥିବା ନିର୍ବାଚନ ପୂର୍ବର ଫାଟ ପୁଣି ରାଜଧାନୀ ରାଜନୀତିକୁ ସରଗରମ କଲା। ଆଉ ପୁଣି ଥରେ ବିଜେଡି ଭିତରେ ଫାଟ ତିଆରି ହେଉଛି ବୋଲି ଚର୍ଚ୍ଚା ହେଲା । ବିଜେଡିର ଦୁଇ କର୍ପୋରେଟର ବିରଞ୍ଚି ନାରାୟଣ ମହସୂପକର ଓ ଭରତ ଲେଙ୍କା ମୁହଁ ମୁହଁ ହେଲେ। ବିଜେଡ଼ିର ଦୁଇ ଜଣ ନେତା ଏପରି ସାମ୍ନାସାମ୍ନି ହେବା ବିଜେଡି ପାଇଁ ପୁରା ନୂଆ ଥିଲା । ଏ ଚର୍ଚ୍ଚା ଦିନେ ଦୁଇ ଦିନ ଭିତରେ ମିଡିଆରୁ ଅପସରି ଯାଇଥିଲା କିନ୍ତୁ ହଠାତ୍ ପ୍ରତାପ ଦେବଙ୍କ ଘରେ ଏକ ବୈଠକ ବସିବା ପରେ ଏକ ନୂଆ ଚର୍ଚ୍ଚା ରାଜ୍ୟ ରାଜନୀତିରେ ସରଗରମ ହେଲା । ବିଜେଡିରେ କିଏ ବିଭୀଷଣ ଏହାକୁ ନେଇ ୩ ତାରିଖ ଦିନ ଦିନତମାମ ଚର୍ଚ୍ଚା ଚାଲିଲା । ବିରୋଧୀ ଦଳ ମୁଖ୍ୟ ଉପ ସଚେତକ ପ୍ରତାପ ଦେବଙ୍କ ଘରେ ପ୍ରମିଳା ମଲ୍ଲିକଙ୍କ ସମେତ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ଅମରେଶ ଜେନା କହିଥିଲେ ବିଜେଡିକୁ ଭାଙ୍ଗିବା ପାଇଁ ଦଳ ଭିତରେ କିଛି ବିଭୀଷଣ ଲାଗିଛନ୍ତି । ସେମାନଙ୍କୁ ଦଳ ତରଫରୁ ତାଗିଦ୍ କରାଯାଉଛି ବୋଲି ମଧ୍ୟ କହିଥିଲେ । ଏହାରି ଭିତରେ ନିର୍ବାଚନ ସମୟରେ ପୋଷ୍ଟର ଫୋଟୋକୁ ନେଇ ପ୍ରଭାତ ବିଶ୍ଵାଳଙ୍କ ବିବୃତି ବିଜେଡିରେ ଫାଟ ଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯଦିଓ ପରେ ପ୍ରଭାତ ଏହାକୁ ମ୍ୟାନେଜ କଲା ଭଳି ବିବୃତି ଦେଇଥିଲେ ।। କିନ୍ତୁ ୩ ତାରିଖ ସନ୍ଧ୍ୟା ବେଳକୁ ଅମରେଶ ଅଶୋକ ପଣ୍ଡା ଓ ଅନନ୍ତ ଜେନାଙ୍କୁ ବିଜେଡ଼ିର ବିଭୀଷଣ ବୋଲି ଖୋଲାଖୋଲି ନାଁ ନେଇ କହିଦେଲେ । ଏହା ପୂର୍ବରୁ ଅଶୋକ ପଣ୍ଡା ଅନେକ କର୍ପୋରେଟରଙ୍କୁ ଡାକି ତାଙ୍କ ଘରେ ବେଲ ପତ୍ର ଛୁଆଇଁ କର୍ପୋରେଟରଙ୍କ ଭିତରେ ଫାଟ ତିଆରି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅମରେଶ ଅଭିଯୋଗ କରିଥିଲେ । ଏଥିରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା ତାଙ୍କୁ ସହଯୋଗ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଥିଲେ । ସେପଟେ ଅମରେଶଙ୍କ ଏପରି ଅଭିଯୋଗକୁ କାଉଣ୍ଟର କରିବାକୁ କିଛି ବିଜେଡି କର୍ପୋରେଟର ଅମରେଶଙ୍କ ବିରୁଦ୍ଧରେ ପ୍ରେସ ମିଟ ମଧ୍ୟ କରିଥିଲେ । ଏହାରି ଭିତରେ ବିଜେପି ବିଧାୟକ ବାବୁସିଂ ଙ୍କ ଜନ୍ମ ଦିନରେ ଅମରେଶ ଓ ବିରଞ୍ଚି ଯୋଗ ଦେବା ଏହି ଚର୍ଚ୍ଚାକୁ ଏକ ନୂଆ ଦିଗ ଦେଲା । ଚର୍ଚ୍ଚା ହେଲା ଯେ ଅନେକ ବିଜେଡି ନେତା ଖୁବ୍ ଶୀଘ୍ର ବିଜେପିରେ ମିଶି ପାରନ୍ତି ଓ ଏହାପରେ ବିଏମସି ଭାଙ୍ଗିବା ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ କିଛି ବିଜେଡି ନେତା କହୁଛନ୍ତି ଅମରେଶ ନିଜ ସ୍ବାର୍ଥ ପାଇଁ ଏସବୁ କରୁଥିବା ବେଳେ ଅମରେଶଙ୍କୁ ବ୍ୟବହାର କରି ବିଜେପି ଏଭଳି ଫାଟର ଚର୍ଚ୍ଚା ତିଆରି କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି । ତେବେ ଅମରେଶ ବିଭୀଷଣ ନା ଅଶୋକ ଓ ଅନନ୍ତ ବିଭୀଷଣ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।