ମୁଣ୍ଡକୁ ଯିବ କିନ୍ତୁ ତୁଣ୍ଡକୁ ଆସିବନି!

Share

ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡକୁ ଆସିବନି ଏ କଥାଟି ଅନେକ ମିଡିଆରେ ଶୀର୍ଷକ ପାଲଟି ଗଲା । ତେଣୁ ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ ବାହା ବାହା ନେବାକୁ ଯୋଜନା କରୁଛି ତାହା ସଫଳ ହେବ କି ନାହିଁ ତାହା ଉପରେ ଅନେକ ପ୍ରଶ୍ନବାଚୀ ତିଆରି ହେଲାଣି । କଥା ହଉଛି ଯେଉଁ ରତ୍ନ ଭଣ୍ଡାର ଗଣତି ପାଇଁ ୭୨ ଦିନ ଲାଗିଥିଲା ସେ ସବୁ ରତ୍ନକୁ ମାତ୍ର ୭ ଘଣ୍ଟାରେ ସ୍ଥାନାନ୍ତରଣ କରିଦିଆଗଲା । କିନ୍ତୁ ରତ୍ନ ଭଣ୍ଡାର ଭିତରେ କେତେ ରତ୍ନ ରହିଛି ସେ ନେଇ କେହି ମୁହଁ ଖୋଲୁ ନାହାନ୍ତି । କମିଟିର ସଦସ୍ୟ କହିଲେ ଘରର ସମ୍ପତ୍ତି ବିଷୟରେ ବାହାରେ ପ୍ରକାଶ କରାଯାଏ ନାହିଁ । କିନ୍ତୁ ଜଗନ୍ନାଥ ତ ଜଗତର ଠାକୁର । ଜଗତରେ ରହୁଥିବା ଲୋକମାନେ ଜଗାର ପରିବାର ସଦସ୍ୟ । ଆଉ ଘରର ସମ୍ପତି ବିଷୟରେ ପରିବାରର ସବୁ ସଦସ୍ୟ ଯଦି ନ ଜାଣିବେ ତେବେ ଯେଉଁ ସଦସ୍ୟ ମାନେ ଜାଣିବେ ସେମାନେ କେତେବେଳେ ବି ସେହି ସମ୍ପତ୍ତି ସହ କିଛି ବି କରିବାର ସମ୍ଭାବନା ରହିବ । ସବୁଠୁ ବଡ଼ କଥା ହଉଛି ଯେଉଁ ରତ୍ନ ଭଣ୍ଡାରକୁ ଲୁଟ କରିବା ପାଇଁ ବିଦେଶୀ ଶତ୍ରୁ ବର୍ଷ ବର୍ଷ ଧରି ଶ୍ରୀମନ୍ଦିରକୁ ଆକ୍ରମଣ କରୁଥିଲେ ସେହି ରତ୍ନ ଭଣ୍ଡାର କଣ ଏତେ ସହଜ । ଏସବୁ ପ୍ରଶ୍ନ ଏବେ ସବୁ ଓଡ଼ିଆଙ୍କ ମନରେ ଉଙ୍କି ମାରିଲାଣି। ରତ୍ନ ଭଣ୍ଡାରକୁ ନେଇ ଯେଉଁ ସବୁ ଚର୍ଚ୍ଚା ହଉଛି ତାହା ସବୁ କପୋଲ କଳ୍ପିତ ବୋଲି ଜଷ୍ଟିସ ବିଶ୍ଵନାଥ କର କହିବା ପରେ ସନ୍ଦେହ ଅଧିକ ଘନୀଭୂତ ହେବାରେ ଲାଗିଲାଣି । କାହିଁକି ନା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସକ ଥିବା କିଛି ଅଧିକାରୀ ରତ୍ନ ଭଣ୍ଡାରକୁ ନେଇ ଅନେକ କିଛି କହିଛନ୍ତି । ଯାହା ଆଜିର ଚର୍ଚ୍ଚା ସହ ଅନେକାଂଶରେ କିଛି କିଛି ମେଳ ଖାଉଛି । ଏପରିକି ଅନେକ ସେବାୟତ ତାଙ୍କ ବାପା ଗୋଷାପଙ୍କ ଠାରୁ ଶୁଣିଥିବା କଥାକୁ ପ୍ରକାଶ କରୁଛନ୍ତି ସେ ସବୁ କଣ ମିଛ । ଭିତର ରତ୍ନ ଭଣ୍ଡାରରେ ନା ସୁଡ଼ଙ୍ଗ ଅଛି ନା କିଛି ରହସ୍ୟ ମୟ କଥା ଅଛି । ଏଭଳି କହି ରତ୍ନ ଭଣ୍ଡାରକୁ ନେଇ ଆଗକୁ ହେବାକୁ ଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରୁ ନାହାନ୍ତି ତ ସରକାର । ଯେଉଁ ରତ୍ନ ଭଣ୍ଡାର ପ୍ରସଙ୍ଗରେ ରାଜ୍ୟରେ ବିଜେଡି ସରକାର କ୍ଷମତା ହରାଇଲା । ଯଦି ସେହି ରତ୍ନ ଭଣ୍ଡାରକୁ ନେଇ ଓଡ଼ିଶା ବିଜେପି ସନ୍ଦେହ ଘେରକୁ ଆସେ ତେବେ ଆଗାମୀ ଦିନରେ ବିଜେପିର ସ୍ଥିତି କଣ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଯେଉଁ ଦୁଇଟି ପ୍ରସଙ୍ଗକୁ ଆଧାର କରି ବିଜେପି କ୍ଷମତାକୁ ଆସିଛି ବୋଲି ଚର୍ଚ୍ଚା ସେ ଦୁଇଟା ଯାକ ପ୍ରସଙ୍ଗରେ ଏବେ ବିଜେପି ନିନ୍ଦିତ ହେବାକୁ ଯାଉଛି । ରାଜ୍ୟପାଳ ଙ୍କ ପୁଅ ଘଟଣାରେ ଅସ୍ମିତା ଓ ରତ୍ନ ଭଣ୍ଡାର ବିଜେପି ପାଇଁ ଆଗକୁ ବଡ଼ ଅଡ଼ୁଆ ଯେ ନ ଆଣିବା ତାହା କହିହେବ ନାହିଁ ।