ରଥଯାତ୍ରାରେ ନବୀନ ନିଜ ଦଳକୁ ଏକ ନୂଆ ରୂପ ଦେଇଛନ୍ତି । ଯେଉଁଥିରେ ବରିଷ୍ଠଙ୍କୁ ମିଳିଛି ବଡ଼ ବଡ଼ ଦାୟିତ୍ଵ । ଅନ୍ୟପଟେ ଏହା ପୂର୍ବରୁ କେନ୍ଦ୍ରରେ ବିଜେପିକୁ ଘେରିବାକୁ ରାଜ୍ୟ ସଭା ସାଂସଦଙ୍କୁ ଗୁରୁ ମନ୍ତ୍ର ଦେଇ ଛାଡିଥିଲେ । ସେମାନେ ବି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବାରେ ସଫଳ ହୋଇଛନ୍ତି। ଏହାରି ଭିତରେ କିନ୍ତୁ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା ଭୁବନେଶ୍ୱର ମହା ନଗର ନିଗମ । ବାଇଁଆ ଓ ଲିଟୁ ବିଜେଡି ଭିତରେ ଯେମିତି ନିଆଁ ଲଗାଇଲେ ତାକୁ ସମ୍ଭାଳିବାକୁ ଦଳ ପତିଙ୍କ ବିନା ଅନୁମତିରେ ଅଶୋକ ଓ ଅନନ୍ତଙ୍କ ସମର୍ଥକ ମାନେ ମିଡିଆରେ ଗପିବାକୁ ଲାଗିଲେ। ଯାହା ଦଳ ପାଇଁ ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିଲା। କିନ୍ତୁ ଯେମିତି ଦଳ ତରଫରୁ ମିଡିଆରେ ବିବୃତି ଦେବାକୁ ମନା କରିଦିଆଗଲା ହଠାତ୍ ନିଆଁ ରେ ପାଣି ଢାଳିଲା ପରି ସବୁ କିଛି ଥମି ଗଲା । କିନ୍ତୁ ସମାନ ଢଙ୍ଗରେ ଦଳ ବିରୁଦ୍ଧରେ ପ୍ରଭାତ ବିଶ୍ଵାଳ ବିଶୋଦଗାର କରିବା ପରେ ଏଥିରେ ପାଣି ନ ଢାଳି ଦଳ ଆଗକୁ କେଉଁ ସଂକେତ ଦେଉଛି ବୋଲି ଚର୍ଚ୍ଚା ହେବାରେ ଲାଗିଲାଣି। ଦେବାଶିଷ ଯେଉଁଭଳି ଭାବେ ପ୍ରଭାତ ଓ ସମ୍ବିତଙ୍କୁ ଧୋଉଛନ୍ତି ସେଥିରୁ ଲାଗୁଛି ଯେମିତି କେହି ତାଙ୍କୁ ଏପରି କରିବାକୁ ନୀରବ ସମର୍ଥନ ଦେଇଛନ୍ତି । ଅନ୍ୟପଟେ ପାଣ୍ଡିଆନ ଦଳ ଭିତରେ ସକ୍ରିୟ ବୋଲି ଚର୍ଚ୍ଚା ଜୋର୍ ଧରିଲାନି । ଏମିତିକି ଅନେକ ନେତା ବି ତାଙ୍କୁ ନେଇ ପ୍ରଶଂସା କରିବା ବି ଆରମ୍ଭ କରିଦେଲେଣି । ଏଭଳି ପରିସ୍ଥିତିରେ ଦେବାଶିଷ ଯାହା ବି କିଛି କହୁଛନ୍ତି ତାହା ଆଉ କାହାର ନିର୍ଦ୍ଦେଶରେ ହେଉ ନାହିଁ ତ। ନା ୟା ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି । ଯଦି ଋଷି ବା ଦେବାଶିଷ ସାମନ୍ତରାୟଙ୍କୁ ଦଳ ଭିତରୁ ସମର୍ଥନ ନ ଥାଆନ୍ତା ତାହେଲେ ସେ ଏଭଳି କହିବାକୁ ସାହସ କରି ନଥାନ୍ତେ । ବବି ଓ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଦେବାଶିଷଙ୍କ ଉପରେ ଅଙ୍କୁଶ ନ ଲଗାଇବା କି ଦଳୀୟ ନେତା ଭାବେ ନିଜ ନିଜ ଭିତରେ ନ ଲଢିବାକୁ ସମ୍ବିତ ଓ ପ୍ରଭାତଙ୍କୁ ତାଗିଦ୍ ନ ହେବା ଆଗକୁ ଆଉ ଏକ କାର୍ଯ୍ୟାନୁଷ୍ଠାନର ସଂକେତ ବୋଲି ଚର୍ଚ୍ଚା ହେଉଛି। ହୁଏତ ଆଗାମୀ ଦିନରେ ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ଚେଷ୍ଟା କରୁଥିବା ନେତାଙ୍କୁ ଚେକ୍ ଦେବାକୁ ବିଜେଡି କିଛି ବି କରିପାରେ । ଯେହେତୁ ଦଳ ଭିତରେ ପାଣ୍ଡିଆନଙ୍କ ସକ୍ରୀୟତା ବଢ଼ିଛି ତେଣୁ ପ୍ରଭାତଙ୍କ ପାଇଁ ଅଡ଼ୁଆ ବଢିପାରେ । ସେହିପରି ସମ୍ବିତଙ୍କ ସମର୍ଥନରେ ୨୦୧୯ ପାରି ୭୦ ହଜାର ଲୋକ ସମର୍ଥନରେ ଥିଲେ ବି ଗତ ନିର୍ବାଚନରେ କଂଗ୍ରେସରୁ ଭାଙ୍ଗିଥିବା ଭୋଟକୁ ନିଜ ଆଡକୁ ନ ଆଣି ପାରି ନିଜ ରାଜନୈତିକ ଦୁର୍ବଳତାକୁ ପରି ପ୍ରକାଶ କରିଛନ୍ତି । ତେଣୁ ଦଳ ବିରୁଦ୍ଧରେ କହିଥିବା ଓ ରାଜନୀତିରେ ଚତୁରତା ନ ଥିବା ନେତା ଆଉ ବିଜେଡିରେ ଆବଶ୍ୟକ ନାହିଁ ବୋଲି ଏକ ବାର୍ତ୍ତା ହୁଏତ ଆଗାମୀ ଦିନରେ ଏହି ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ସୂଚିତ କରିପାରେ। ତେବେ ବାହୁଡା଼ ପରେ ପରେ ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ଏ ନେଇ ସ୍ପଷ୍ଟତା ଆସିବ ବୋଲି ଶୁଣିବାକୁ ମିଳୁଛି ।