ପୋଲିସ ମାଡ଼ ଖାଇଲା, ଇଣ୍ଟରନେଟ ବନ୍ଦ ରହିଲା

Share

ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ଶୁକ୍ରବାର ସଂଧ୍ୟାରେ ଭଦ୍ରକ ସହର ସନ୍ଥିଆ ପୋଲ ନିକଟରେ ପୋଲିସ ଓ ସଂଖ୍ୟା ଲଘୁ ସଂପ୍ରଦାୟର କିଛି ଯୁବକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ମାମଲାରେ ଗିରଫ ସଂଖ୍ୟା ୧୫ରେ ପହଂଚିଛି। ଘଟଣା ଦିନଠାରୁ ନିଜେ ପୂର୍ବାଂଚଳ ଡିଆଇଜି ଉପସ୍ଥିତି ରହି ପୁରା ଘଟଣାର ସମୀକ୍ଷା କରୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ସୋସିଆଲ ମିଡ଼ିଆ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାର ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ, ୧୮୮୫ର ଧାରା ୫(୨) ତଥା ଟିଏସଟିଏସ ରୁଲ, ୨୦୧୭ର ଧାରା୨(୧) ମୁତାବକ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଥବା ଇଂଟରନେଟ୍ ସେବାକୁ ଆହୁରି ଅଧିକ ୪୮ ଘଂଟା ବଢ଼ାଇ ଦିଆଯାଇଥିବା ଡିଆଇଜି ସତ୍ୟଜିତ ନାୟକ କହିଛନ୍ତି। ଅନ୍ୟପଟେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଭଦ୍ରକର ସନ୍ଥିଆ ଓ ଏହାରଆଖପାଖ ଅଂଚଳ ସମତେ ଧାମନଗରରେ ଶୁକ୍ରବାରଠାରୁ ଧାରା ୧୬୩ ବଳବତ୍ତର ରହିଛି। ଏହି ଘଟଣାକୁ ନେଇ ଭଦ୍ରକରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଧାମନଗର ଅଚଂଳରେ ବେଆଇନ ରାସ୍ତାରୋକ ମାମଲାରେ ମଧ୍ୟ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଯେଉଁ ଭିଡ଼ିଓକୁ ନେଇ ବିବାଦ ସୃଷ୍ଟି ହୋଇଥିଲା, ସେହି ଭିଡ଼ିଓ ପୋଷ୍ଟ କରିଥିବା ଯୁବକ ଜଣକ ମଧ୍ୟ ଗିରଫ ହୋଇଛନ୍ତି। କିନ୍ତୁ ରାଲି ପାଇଁ ଆହ୍ୱାନ ଦେଇ ସଂଘର୍ଷ ଘଟାଇଥିବା ଯୁବକ ଫେରାର ଥିବାବେଳେ ତାହାର ଫେସ୍‌ବୁକ୍ ଆକାଉଂଟରୁ ସଂପୃକ୍ତ ପୋଷ୍ଟକୁ ପୋଲିସ ହଟାଇପାରିନାହିଁ। ଆଇନଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ଭଦ୍ରକ ସହରରେ ୧୨ ପ୍ଲାଟୁନ ଫୋର୍ସ ସମେତ ୧ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ଅଛନ୍ତି। ସେହିପରି ଧାମନଗରରେ ୬ ପ୍ଲାଟୁନ ଫୋର୍ସ ସହ ୧ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ଥିବା ଜଣାଯାଇଛି। ଦୁଇ ଦିନ ଧରି ପୋଲିସ ଉଭୟ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରୁଛି। ଫ୍ଲାଗମାର୍ଚ୍ଚ ବେଳେ ପୂର୍ବାଂଚଳ ଡିଆଇଜି ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଏସ୍‌ପି ବରୁଣ ଗୁଣ୍ଠୁପାଲି ମଧ୍ୟ ଉପସ୍ଥିତ ରହୁଥିବା ଦେଖାଯାଇଛି। ସେହିପରି ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଭଦ୍ରକ ବିଧାୟକ ସୀତାଂଶୁ ଖେଖର ମହାପାତ୍ର ଜିଲ୍ଲା ପ୍ରଶାସନ ସହ ଏକ ଅନୌପଚାରିକ ବୈଠକ କରିଥିବା ଜଣାଯାଇଛି। ଏହା ସହ ଭଦ୍ରକରେ ଘଟୁଥିବା ହିଂସାକୁ ନିନ୍ଦା କରିବା ସହ ପ୍ରଶାସନ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ପରିସ୍ଥିତି ସୁଧାର ନ ହେବା ଯାଏଁ ଇଂଟରନେଟ ବନ୍ଦ ରଖାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସହ କହିଛନ୍ତି ଯେଉଁ ମାନେ ଓଡ଼ିଶାକୁ କେରଳ ଓ ପଶ୍ଚିମବଙ୍ଗଳା ଭଳି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏହା କରିବାକୁ ଦିଆଯିବ ନାହିଁ। ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଫିର୍ଦ୍ଦୋଶ ଖାନଙ୍କ ସହ ଭଣ୍ଡାରିପୋଖରୀ ବିଧାୟକଙ୍କ ଫଟୋକୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ହିଂସା ପଛରେ ବିଜେଡି ନେତାଙ୍କ ହାତ ଥିବା ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ ଏନେଇ ବିଧାକୟ ସଞ୍ଜୀବ ମଲ୍ଲିକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସୂଚନା ଥାଉ କି, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ବ୍ୟକ୍ତି ପୁରୁଣାବଜାର ଥାନାରେ ଅଭିଯୋଗ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ୨ ଦିନ ଭିତରେ ଉକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ପୋଷ୍ଟ କରିଥିବା ଯୁବକ ଜଣକ ସୋସିଆଲ ମିଡିଆରେ ପୁନର୍ବାର କିଛି କମେଂଟ କରିବା ପରେ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟା ବେଳେ ଫିର୍ଦ୍ଦୋଶ ଖାନ ନାମକ ଜଣେ ଯୁବକ ନିଜ ଫେସ୍‌ବୁକ୍ ଆକାଉଂଟରେ ୧ ଘଂଟା ମଧ୍ୟରେ ଟ୍ରେନିଂ ପଡ଼ିଆ ଠାରେ ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବାଇକ ରାଲି ପାଇଁ ସେହି ସଂପ୍ରଦାୟର ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହାପରେ ଠିକ୍ ସାଢ଼େ ୪ଟା ସମୟରେ ଶତାଧିକ ଯୁବକ ଏକଜୁଟ ହୋଇ ଭଦ୍ରକ ସହର ଆଡ଼କୁ ଆସୁଥିବା ଖବର ପାଇ ସନ୍ଥିଆ ପୋଲ ନିକଟରେ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ପହଂଚି ସେମାନଙ୍କୁ ଅଟକାଇଥିଲେ। ସେମାନେ ଉକ୍ତ ଯୁବକଙ୍କୁ ଏବେ ତୁରନ୍ତ ଗିରଫ କରାଯାଉ ବୋଲି ଅଡ଼ି ବସିବା ସହ ଟାୟାର ଜାଳି ସନ୍ଥିଆ ପୋଲ ନିକଟରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ଯୁକ୍ତିତର୍କ ଓ ଠେଲାପେଲା ହେବାରୁ ପୋଲିସ ଲାଠି ଧରି ସେମାନଙ୍କୁ ଘଉଡ଼ାଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଇଟାପଥର ମାଡ଼ କରିବାରୁ ଟାଉନ ଥାନା ଏସ୍‌ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଥିଲେ ।ଏହା ସହ ତହସିଲଦାରଙ୍କ ଗାଡିର କାଚ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଥିଲା। କାଧିକ ପୋଲିସ କର୍ମଚାରୀଙ୍କ ଉପରେ ଢେଲା ମାଡ଼ ମଧ୍ୟ ହୋଇଥିଲା। ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ବୁଝାଶୁଝା କରି ଫେରୁଥିବାବେଳେ ତାଙ୍କୁ କିଛି ଯୁବକ ଟେକି ନେଇ ପଳାଉଥିବା କିଛି ଦେଖଣାହାରୀ କହିଛନ୍ତି। ଏହାଦେଖି ନିକଟରେ ଥିବା ପୋଲିସ ଫୋର୍ସ ତାଙ୍କ ପାଖରେ ପହଂଚିବା ପରେ ସେମାନେ ସିଟି ଡିଏସ୍‌ପିଙ୍କୁ ଛାଡି ପଳାଇଥିଲେ। ଏହି ସଂଘର୍ଷ ବେଳେ ସିଟି ଡିଏସ୍‌ପି ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।