ସଭ୍ୟ ସଂଗ୍ରହ ଅଭିଯାନକୁ ପ୍ରଭାବିତ କରିବ ନିର୍ବାଚନ ଫଳ

Share

ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ରାଜ୍ୟ ରାଜନୀତି ବର୍ତମାନ ସରଗରମ ରହିଛି। ପ୍ରଥମେ ବିଜେପି ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିସାରିଛି। ଅନ୍ୟପଟେ ବିଜେଡ଼ି ବି ଅକ୍ଟୋବର ୨ରୁ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଅଂଟା ଭିଡ଼ିଛି। ଏହାରି ଭିତରେ ରାଜନୈତିକ ଚର୍ଚ୍ଚା ଚାଲିଛି ଯେ ଯେହେତୁ ବିଜେଡି କ୍ଷମତାରେ ନାହିଁ ତେଣୁ ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ପଛରେ ପଡ଼ିଯିବ। ଖୋଲାଖୋଲି ଭାବେ ଲୋକମାନେ ବିଜେଡି ସହ ଯୋଡ଼ି ହୋଇ ସରକାରୀ ସହାୟତା କିମ୍ବା ସହଯୋଗକୁ ହାତଛଡା କରିବାକୁ ଚାହିଁବେ ନାହିଁ। କିନ୍ତୁ ଅନେକ ବିଜେଡି ସମର୍ଥକ ଦେହ ଛପା ଦେଇ ବିଜେପିରେ ରହିବାକୁ ପସନ୍ଦ କରିବେ। କିନ୍ତୁ ସେହି ସଭ୍ୟ ଗୁଡିକ ନିର୍ବାଚନ ସମୟର ଫ୍ଲୋଟିଂ ବା ଭାସମାନ ଭୋଟର ଭଳି ରହିବେ। ସମୟ ସୁଯୋଗ ଦେଖି ଏମାନେ ପଲଟି ମାରିବାର ସମ୍ଭାବନା ବି ରହିବ। ଅନ୍ୟପଟେ ଦେଖିବାକୁ ଗଲେ ରାଜ୍ୟରେ ବିଜେପି କ୍ଷମତାରେ ଥିଲେ ବି ପଂଚାୟତ, ବ୍ଳକ ଓ ଜିଲ୍ଲା ସ୍ତରରେ ବିଜେଡିର ଖୁବ୍ ଅଧିକ ଦବ୍‌ଦବା ରହିଛି। ଜଣେ ସାଧାରଣ ଲୋକର ସରକାରୀ ସ୍ତରୀୟ କାର୍ଯ୍ୟ ପାଇଁ ସରପଂଚ, ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ଅଧିକ ଦରକାରରେ ଆସିବେ। ତେଣୁ ସାଧାରଣ ଲୋକଟିଏ ଏମାନଙ୍କର ବଶବର୍ତୀ ହେବା ସ୍ୱାଭାବିକ। ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେପି ତୃଣମୂଳ ସ୍ତରରେ ସେତେଟା ସକ୍ରିୟ ନେତୃତ୍ୱ ତିଆରି କରିବାରେ ସଫଳ ହୋଇପାରି ନାହିଁ। ତେଣୁ ମେମ୍ବରସିପ୍ ଡ୍ରାଇଭକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ। ୨୦୨୪ ନିର୍ବାଚନକୁ ଦେଖିଲେ ବିଜେପି ସରକାର ଗଢ଼ି ବି ବିଜେଡି ଠାରୁ କମ୍ ଭୋଟ ପାଇଛି। ବିଧାନସଭା ପ୍ରାର୍ଥୀ ବା ଏମଏଲଏ ଭୋଟରେ ବିଜେପି ୧କୋଟି ୬୪ହଜାର ଭୋଟ ପାଇଥିବାବେଳେ ବିଜେଡି ୧କୋଟି ୧ଲକ୍ଷ ୨ହଜାର ଭୋଟ ହାତେଇବାରେ ସଫଳ ହୋଇଛି। ଏହି ଚିତ୍ର ହିଁ ବିଜେଡିର ସଭ୍ୟସଂଖ୍ୟାକୁ ସ୍ପଷ୍ଟ କରୁଛି। ତେଣୁ ଦେଖିବାକୁ ଗଲେ ବିଜେଡି ପ୍ରତି ଅଧିକ ସଂଖ୍ୟକ ସାଧାରଣ ଭୋଟରଙ୍କର ସମର୍ଥନ ରହିଛି। ତେଣୁ ବିଜେଡିକୁ ପଛକୁ ଠେଲିବାକୁ ହେଲେ ବିଜେପିର ତୃଣମୂଳ ସ୍ତରୀୟ ନେତୃତ୍ୱମାନେ ବିଜେଡି ବିରୁଦ୍ଧରେ ସଫଳ ନାରା ତିଆରି କରିବାରେ ସକ୍ଷମ ହୋଇପାରିବା ଦରକାର। ଅନ୍ୟପଟେ ନିର୍ବାଚନ ପରେ ପରାଜୟକୁ ନେଇ ବିଜେଡି ଭିତରେ ନେତା ନେତାଙ୍କ ଭିତରେ ତୁ ତୁ ମେ ମେ ଚାଲିଛି। ଯାହା ଦଳୀୟ ବିଶୃଙ୍ଖଳାକୁ ବୃଦ୍ଧି କରୁଛି । ଏହି ବିଶୃଙ୍ଖଳା ବିଜେପିକୁ ନିଶ୍ଚିତ ଫାଇଦା ଦେବ। କିନ୍ତୁ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିଜେଡି ସରପଂଚ ଓ ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟମାନେ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବାକୁ କଳବଳ ଚେଷ୍ଟା କରିବେ। ଯାହା ବିଜେପି ପାଇଁ ଶୁଭଙ୍କର ନୁହେଁ। ଏଭଳି ପରିସ୍ଥିତିରେ ବିଜେପି ସମର୍ଥନରେ ପ୍ରଚୁର ହାୱା ବୋହି ପାରିଲେ ହିଁ ସାଧାରଣ ଲୋକଙ୍କ ଦ୍ୱାରା ବିଜେପି ଆଦୃତ ହୋଇପାରନ୍ତା କିନ୍ତୁ ହରିୟାଣା ନିର୍ବାଚନରେ ବିଜେପି ପରାଜୟ ହେବାନେଇ ଏକଜିଟ୍ ପୋଲ ରିପୋର୍ଟ ଆସିବା, ଜମ୍ମୁ କଶ୍ମୀରରେ ମେଂଟ ସରକାର ହେବା ନେଇ ପୂର୍ବାନୁମାନ ହେବା ତା ସହିତ ଆଗାମୀ ଦିନରେ ମହାରାଷ୍ଟ୍ର ନିର୍ବାଚନରେ ଏହି ଦୁଇ ରାଜ୍ୟର ଫଳାଫଳ ନିଶ୍ଚିତ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେବା କେଉଁଠି ନା କେଉଁଠି ବିଜେପିର ଚିତ୍ରକୁ ମଳିନ କରିବ। ତେଣୁ ଓଡ଼ିଶାରେ ବିଜେପି ପ୍ରତି ସାଧାରଣ ଲୋକଙ୍କର ଯେଉଁ ସମର୍ଥନ ବୃଦ୍ଧି ପାଇପାରିଥାନ୍ତା, ତାହା ଏହି ନିର୍ବାଚନ ଫଳାଫଳ ଦ୍ୱାରା ପ୍ରଭାବିତ ହେବ। ଫଳରେ ବିଜେପିର ସଭ୍ୟ ଅଭିଯାନ କେଉଁଠି ନା କେଉଁଠି ପ୍ରଭାବିତ ହେବ। ସବୁ ଦିଗକୁ ଦେଖିଲେ ବିଜେଡିରେ ଦଳୀୟ କନ୍ଦଳ ଥିଲେ ବି ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ନେତାମାନେ ବିଜେପିରେ ଗୁରୁତ୍ୱ ପାଉନଥିବା ଚର୍ଚ୍ଚାଟି ଅନେକ ତୃଣମୂଳ ନେତା ତଥା କର୍ମୀଙ୍କୁ ବିଜେପି ମୁହାଁ ହେବାରୁ ଦୂରେଇ ରଖିବ। ଯାହା ବିଜେଡି ପାଇଁ ଫଳପ୍ରଦ ହେବ। ସାଂପ୍ରତିକ ପରିସ୍ଥିତିରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ଦେଖାଯାଉନାହିଁ। ତେବେ ବିଜେପି ଏସବୁ ଦିଗକୁ କିଭଳି ମ୍ୟାନେଜ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ।