ରାଜନୀତିକୁ ସରଗରମ କଲା ଉପ ନିର୍ବାଚନ ଚର୍ଚ୍ଚା!

Share

ଗାନ୍ଧୀ ଜୟନ୍ତୀରେ ରାଜ୍ୟ ରାଜନୀତିକୁ ଏକ ନୂଆ ଚର୍ଚ୍ଚା ସରଗରମ କରିଛି। ଆଉ ତାହା ହେଉଛି ଉପ-ନିର୍ବାଚନ। ଉପନିର୍ବାଚନ କଥା ଗଣମାଧ୍ୟମରେ ରକେଟ ଭଳି ଉଡ଼ିବା ପରେ ଗଣମାଧ୍ୟମ ସାମ୍ନାକୁ ଆସି ଯାଜପୁର ବିଧାୟିକା ସ୍ପଷ୍ଟୀ କରଣ ଦେଇ କହିଛନ୍ତି ସେ ଇସ୍ତଫା ଦେବେ ନାହିଁ। ତେଣୁ ଉପନିର୍ବାଚ କଥା କେଉଁଠୁ ଉଠୁଛି। ସେ କହିଲେ ବବି ଦାସ ଲୋକଙ୍କ ପାଇଁ ଲଢ଼ିବା କଥା କହିଛନ୍ତି। ସେ ତ ନିର୍ବାଚନ ଲଢ଼ିବା କଥା କହିନାହାନ୍ତି। ଆଜି ପର୍ଯ୍ୟନ୍ତ ଏ ନେଇ କୌଣସି ଆଲୋଚନା ବବି ଦାସ ଓ ତାଙ୍କ ମଧ୍ୟରେ ହୋଇନଥିବା କହିଛନ୍ତି। ଫଳରେ ଯାଜପୁରରେ ଉପନିର୍ବାଚନ କଥାକୁ ନିଜେ ବିଧାୟିକା ସିଧା ସଳଖ ଖଣ୍ଡନ କରିଛନ୍ତି। ଏହି ଆଲୋଚନକୁ ପୂର୍ଣ୍ଣଛେଦ ଦେବାକୁ ବିଜେଡି ବିଧାୟିକା ଚେଷ୍ଟା କରିଥିଲେ ବି ଉପନିର୍ବାଚନ ଚର୍ଚ୍ଚା ଥମିବାର ଆଶଙ୍କା କମ୍‌। ଯେ ପର୍ଯ୍ୟନ୍ତି ନିଜେ ବବି ଦାସ ଏନେଇ ସ୍ପଷ୍ଟୀକରଣ ନଦେବେ। ଏଇ ନିକଟରେ ନିର୍ବାଚନ ସରିଛି। ତେଣୁ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ମିଡିଆରେ ହେବା ପରେ ବିଶେଷ କରି ଶାସକ ବିଜେପି ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏ ଚର୍ଚ୍ଚା ପଛରେ ଥିବା ମୁଖ୍ୟ କାରଣଟି ହେଉଛି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଭାଷଣ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କୁଆଁସ ମା’ ମଙ୍ଗଳ ପୀଠରୁ ଗାନ୍ଧୀ ଜୟନ୍ତୀରେ ବିଜେଡି ତରଫରୁ ଆୟୋଜିତ ଏକ ଜନସମ୍ପର୍କ ସଭାରେ ଯୋଗଦେଇ ବବି କହିଲେ, ଯାଜପୁରର ବିକାଶରେ ବାଧା ସୃଷ୍ଟି କରିବାକୁ ଷଡଯନ୍ତ୍ର ଚାଲିଛି। ତେଣୁ ଯାଜପୁରର ବିକାଶ ପାଇଁ ସେ ଲଢ଼ିବାକୁ ପ୍ରସ୍ତୁତ। ବାସ ଏଇ ଗୋଟିଏ ଧାଡି ହିଁ ଗଣମାଧ୍ୟମକୁ ଖୋରାକ ଯୋଗେଇଛି ଉପନିର୍ବାଚନ ନେଇ ଚର୍ଚ୍ଚା କରିବାକୁ । ଯାଜପୁରରେ ବିଜେଡି ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଗୌତମ ରାୟ ମାତ୍ର ଅଢ଼େଇ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। ଯାଜପୁର ବିକାଶରେ ବାଧା ହେଉଥିବାରୁ ବବି ନିର୍ବାଚନ ଲଢ଼ିବେ ବୋଲି କହିଲେ ନା ବିକାଶ ପାଇଁ ଲଢ଼ିବେ ବୋଲି କହିଲେ, ଏନେଇ କିଛି ସ୍ପଷ୍ଟତା ନାହିଁ। କିନ୍ତୁ ବବିଙ୍କ ଏହି ଲଢ଼ିବା ଶଦ୍ଦକୁ ନେଇ କେବଳ ଗଣମାଧ୍ୟମ ନୁହେଁ ରାଜନୈତିକ ମହଲରେ ମଧ୍ୟ ଆଶଙ୍କା ଯେ ବୋଧହୁଏ ଯାଜପୁରର ବିଜେଡି ପ୍ରାର୍ଥିନୀ ବିଧାୟିକା ପଦରୁ ଇସ୍ତଫା ଦେବେ। ଆଉ ଉପନିର୍ବାଚନ ହେଲେ ବବି ସେଠାରୁ ପ୍ରାର୍ଥୀ ହେବେ। ତେବେ ଉପନିର୍ବାଚନ ହେଲେ ବବିଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ହେବା ପଛରେ କାରଣ ହେଉଛି, ବବିଙ୍କ ଭାଷଣର କେଇପଦ। ବବି ନିଜ ଭାଷଣରେ କହିଲେ ନିର୍ବାଚନର ଦୁଇମାସ ପୂର୍ବରୁ ଓ ନିର୍ବାଚନର ଦୁଇମାସ ପରେ ଶାସକ ବିଜେପି କେବଳ ତାଙ୍କ ହିଁ ଟାର୍ଗେଟ କରୁଛି। ବବିଙ୍କ ନାଁ ନ ନେଲେ କୁଆଡେ ସେମାନଙ୍କର ଟିଆରପି ବଢ଼ିବ ନାହିଁ। ବବିଙ୍କ ବିରୁଦ୍ଧରେ ବିଭିନ୍ନ ମନଗଢ଼ା କାହାଣୀ ତିଆରି କରାଯାଉଥିବା ବି ସେ ପରୋକ୍ଷରେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଯଦି ସେ କିଛି ଭୁଲ୍ କରିଛନ୍ତି ତେବେ ତାଙ୍କୁ ବାନ୍ଧି ଜେଲ୍‌ରୁ ପୁରାଯାଉନାହିଁ କାହିଁକି ? ଅନ୍ୟପଟେ ସାଧାରଣ ଲୋକ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଜିତାଇଥିବାରୁ ସେ ସମସ୍ତଙ୍କୁ ମୁଣ୍ଡ ନଇଁ କୃତଜ୍ଞତା ଜଣାଇନ୍ତି । ଅନ୍ୟପଟେ କହିଛନ୍ତି ତାଙ୍କ ବାପା ଅଶୋକ ଦାସ ଲୋକଙ୍କ ପାଇଁ ରାଜନୀତି କରି ଜେଲ୍ ଭୋଗିଛନ୍ତି। ବବି ଉଭୟ ବିଜୁ ଓ ନବୀନଙ୍କ ଦାୟାଦ ଅଟନ୍ତି। ତାଙ୍କ ଦଳ କି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏ ପର୍ଯ୍ୟନ୍ତ କିଛି ବି କହି ନାହାନ୍ତି। ଦଳ ଭିତରେ ସମସ୍ତଙ୍କ ଭିତରେ ବୁଝାମଣା ଠିକ୍ ଅଛି। ତେବେ ବିଜେପି ବବିଙ୍କୁ ନେଇ ଭୟଭୀତ ହୋଇଛି କି ବୋଲି ବି ପ୍ରଶ୍ନ କରିଛନ୍ତି। ଏଭଳି ପରିସ୍ଥିତିରେ ଦରକାର ପଡ଼ିଲେ ବବି ଯାଜପୁରବାସୀଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବବିଙ୍କ ଭାଷଣର ଏସବୁ ଉକ୍ତି ରାଜନୈତିକ ଅଭିଷନ୍ଧି ମୂଳକ ହୋଇଥିବା ପ୍ରତୀତ ହେଉଥବାରୁ ଯାଜପୁରରେ ଉପନିର୍ବାଚନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ପରାଜିତ ବିଜେପି ପ୍ରାର୍ଥୀ ଗୌତମ ରାୟ କହିଛନ୍ତି ଉପନିର୍ବାଚନ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। କିନ୍ତୁ ଯଦି ଉପନିର୍ବାଚନ ହୁଏ ତେବେ ବିଜେପି ବହୁ ଭୋଟରେ ପରାଜିତ ହେବ। ଯାଜପୁର ବିଧାୟିକ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ବି ଉପନିର୍ବାଚନକୁ ନେଇ ଉଭୟ ଗଣମାଧ୍ୟମ ଓ ବିରୋଧୀ ସନ୍ଦୀହାନ ପରସ୍ଥିତିରେ ରହିବା ନିଶ୍ଚିତ। ତେବେ ଆଗକୁ ଏହି ଘଟଣା କେଉଁ ଦିଗକୁ ଯାଉଛି ତାହାରି ଉପରେ ସମସ୍ତଙ୍କର ନଜର ରହିବ।