ଝାଡଖଣ୍ଡରେ ବିଜେପି ବୁଡିବା ପଛରେ ରଘୁବର ଦାସଙ୍କ ଅହଂଙ୍କାର ପ୍ରମୁଖ ଭୂମିକା ନେଇଥିଲା ବୋଲି ୨୦୧୯ ନିର୍ବାଚନରେ ଝାଡଖଣ୍ଡରେ ଚର୍ଚ୍ଚା ହେଉଥିଲା । ଆଉ ଦିନ କେଇଟା ପରେ ଝାଡଖଣ୍ଡରେ ନିର୍ବାଚନ ହେବ । ଆଉ ଓଡ଼ିଶାରେ ତାଙ୍କ ପୁଅ ଯେଉଁ କାଣ୍ଡ କଲେ ତାକୁ ନେଇ ଝାଡଖଣ୍ଡରେ ବିଜେପି ବିରୋଧୀମାନେ ଏକ ବଡ଼ ଇସ୍ୟୁ କରିବାକୁ ଯାଉଛନ୍ତି । ତେଣୁ ରଘୁବରଙ୍କ ସେହି ଅହଂଙ୍କାର ଓଡ଼ିଶା ବିଜେପି ବିରୁଦ୍ଧରେ ବିରୋଧୀଙ୍କୁ ଲଢ଼ିବାକୁ ସୁଯୋଗ ଦେଉନାହିଁ ତ ? କାହିଁକି ନା ୨୦୧୯ ଝାଡଖଣ୍ଡ ନିର୍ବାଚନରେ ବିଜେପିର ନାରା ଥିଲା ଏଥର ୬୫ ପାର । କିନ୍ତୁ ବିଜେପିକୁ ମିଳିଲା ମାତ୍ର ୨୫ । ଏହି ପରାଜୟ ପଛର ପ୍ରମୁଖ କାରଣ ଥିଲା ରଘୁବରଙ୍କ ଅହଂଙ୍କାର, ବିଜେପି ପ୍ରତି ଆଦିବାସୀଙ୍କ କ୍ରୋଧ ଓ ୨୦୧୬ରେ ବିଜେପି ସରକାର ଆଣିଥିବା ଦୁଇଟି ସିଟିଜେନସିପ୍ ଆଇନର ସଂଶୋଧନ; ଗୋଟିଏ ଥିଲା ଛୋଟାନଗର ଟେନାନ୍ସି ଆକ୍ଟ ଏବଂ ଆଉ ଗୋଟିଏ ଥିଲା ସନ୍ଥାଳ ପ୍ରଗଣା ଟେନାନ୍ସି ଆକ୍ଟ । ପ୍ରଥମ ଥର ପାଇଁ ୨୦୧୪ରେ ବିଜେପି ସର୍ବାଧିକ ୩୭ଟି ସିଟ୍ ଜିତି ଝାଡଖଣ୍ଡକୁ ଜଣେ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ଦେଇଥିଲା । ଏପରିକି ୨୦୦୦ ମସିହାରୁ କେହି ବି ପୂର୍ଣ୍ଣକାଳ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିପାରିନଥିବାବେଳେ ରଘୁବର ଦାସ ପୁରା ୫ବର୍ଷ ୧ ଦିନ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । କିନ୍ତୁ ରଘୁବାର ଦାସଙ୍କ ଅହଂଙ୍କାର ପାଇଁ କୁଆଡେ ବିଜେପିକୁ ସେଠାରେ କ୍ଷମତା ହରାଇବାକୁ ପଡ଼ିଲା । ୨୦୧୯ରେ ନିଜ ଦଳର ନେତା ସରୟୁ ରାଏ ରଘୁବରଙ୍କୁ ବିରୋଧ କରି ରଘୁବରଙ୍କ ବିରୁଦ୍ଧରେ ପୂର୍ବ-ଜାମସେଦପୁର ସିଟ୍ରେ ସ୍ୱାଧୀନ ଭାବେ ଲଢ଼ିଲେ । ଫଳରେ ଦଳୀୟ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଥାଇ ବି ରଘୁବରଙ୍କୁ ଶୋଚନୀୟ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା । ୨୦୧୪ରେ ୭୦ହଜାର ଭୋଟ ମାର୍ଜିନରେ ଜିତିଥିବା ରଘୁବର ୧୫ହଜାର ଭୋଟ ମାର୍ଜିନରେ ପରାଜିତ ହେଲେ । ଏହି ପରାଜୟ ପଛର ଯେଉଁ କାରଣ ରହିଥିବା ଚର୍ଚ୍ଚା ହେଉଥିଲା ସେଗୁଡିକୁ ଓଡ଼ିଶା ଲୋକ ଜାଣିବା ଦରକାର । ରଘୁବର ଦାସଙ୍କ ଅହଂଙ୍କାରୀ ବ୍ୟବହାର ପାଇଁ କୁଆଡେ ୨୦୧୯ରେ ଆରଏସଏସ୍ର ଅନେକ ସଦସ୍ୟ ବିଜେପିକୁ ଜିତାଇବାକୁ ଚାହୁଁଥିଲେ ବି ରଘୁବରଙ୍କୁ ହରାଇବାକୁ ପଣ କରିଦେଇଥିଲେ । ସେହିପରି ଅଭିଯୋଗଶୁଣାଣି ବେଳେ ଅଭିଯୋଗକାରୀଙ୍କୁ ଅପବ୍ୟବହାର କରିବା ତଥା ତାଙ୍କ ଉପରେ ଚିତ୍କାର କରିବା ଭଳି ସଙ୍ଗୀନ ଅଭିଯୋଗ ରଘୁବରଙ୍କ ନାଁରେ ହୋଇଥିଲା । ଏପରିକି ରୁଦ୍ଧ ଦ୍ୱାର ବୈଠକରେ ବି ସରକାରୀ ଅଧିକାରୀଙ୍କୁ ବି ଅପବ୍ୟବହାର କରିବାକୁ ପଛାଉ ନଥିଲେ ରଘୁବର । କେବଳ ଏତିକି ନୁହେଁ ଜନଶୁଣାଣି କାର୍ଯ୍ୟକ୍ରମରେ ବି କୁଆଡେ ସାଧାରଣ ଲୋକଙ୍କୁ ଉଚ୍ଚ ସ୍ୱରରେ ତାଗିଦ କରୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ସେହିପରି ୨୦୧୮ରେ ଖୁଂଟି ନାମକ ସ୍ଥାନରେ ଆଦିବାସୀଙ୍କ ପଥଲଗଡି ଆନ୍ଦୋଳନକୁ ରଘୁବରଙ୍କ ସମୟରେ ଯେଭଳି ଦମନ କରାଗଲା ତାହା ତାଙ୍କ କ୍ରୁରତା ସବୁ ସୀମା ଟପିଯାଇଥିଲା ବୋଲି ଚର୍ଚ୍ଚା ହୁଏ । ଏସବୁ ଅହଙ୍କାରୀ ପ୍ରକୃତି ପାଇଁ କୁଆଡେ ବିଜେପିକୁ ଝାଡଖଣ୍ଡରେ ବହୁମୂଲ୍ୟ ଦେବାକୁ ପଡ଼ିଛି । ଅନ୍ୟପଟେ ବିଜେପିର ବଡ଼ ନେତା ଅମିତ ଶାହ ଓ ମୋଦିଙ୍କର ଅତି ଘନିଷ୍ଠ ହୋଇଥିବା ହେତୁ ଝାଡଖଣ୍ଡର ସ୍ଥାନୀୟ ସମସ୍ୟାକୁ ୨୦୧୯ରେ ବିଜେପି ଅଣଦେଖା କରିଥିଲା । ଯାହାର ପରିଣାମ ଏବେ ଝାଡଖଣ୍ଡରେ ବିଜେପି ଭୋଗୁଛି । ସମାନଢ଼ଙ୍ଗରେ ଓଡ଼ିଶାରେ ତାଙ୍କ ପୁଅ ଯେଉଁ କାଣ୍ଡ କଲେ ତାକୁ ବି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ଆରମ୍ଭ କରି ରାଜ୍ୟର ବଡ଼ ବଡ଼ ନେତୃତ୍ୱ କେନ୍ଦ୍ରୀୟ ନେତୃତ୍ୱଙ୍କ ଡରରେ ଚୁପ୍ ବସିଛନ୍ତି । ଆଗକୁ ଓଡ଼ିଶାରେ ବିଧାନସଭା ଅଧିବେଶନ ଚାଲିବାକୁ ଥିବାବେଳେ ଉଭୟ କଂଗ୍ରେସ ଓ ବିଜେପି ବିଧାନସଭା ଭିତରେ ଓ ବାହାରେ ଏହି ପ୍ରସଙ୍ଗକୁ ଜୋରଦାର କରିବେ । ଫଳରେ ଏହାର ପ୍ରଭାବ ଡିସେମ୍ବରରେ ହେବାକୁ ଥିବା ଝାଡଖଣ୍ଡ ନିର୍ବାଚନରେ ତ ପଡ଼ିବ । ତା ସହିତ ଓଡ଼ିଶାରେ ବିଜେଡି ଯେଭଳି ଭାବରେ ବିଭାଗୱାରୀ ନିଜ ବିଧାୟକଙ୍କୁ ଦାୟିତ୍ୱ ଦେଇ ସରକାରଙ୍କୁ ଘେରିବାକୁ ଯାଉଛି ରାଜ୍ୟପାଳ ପୁଅ ପ୍ରସଙ୍ଗକୁ ମଧ୍ୟ ଛାଡିବେ ନାହିଁ । ଯେଉଁ ଓଡ଼ିଆ ଅସ୍ମିତାକୁ ନେଇ ବିଜେପି କ୍ଷମତାକୁ ଆସିଛି, ସେହି ଅସ୍ମିତା ପ୍ରସଙ୍ଗ ଏବେ ବିରୋଧୀଙ୍କର ମୁଖ୍ୟଅସ୍ତ୍ର ହେବ । ଆଉ ଏହାର ବଡ କାରଣ ପାଲଟିବ ରାଜ୍ୟପାଳଙ୍କ ଅହଂଙ୍କାର ।