ରତ୍ନ ଭଣ୍ଡାର ପ୍ରସଙ୍ଗରେ ଓଡ଼ିଶା ବିଜେପି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି କି ? ବିଜୟ ମହାପାତ୍ରଙ୍କ ବୟାନ ପରେ ଏମିତି କିଛି ଚର୍ଚ୍ଚା ଏବେ ଜୋର୍ ଧରୁଛି । ରତ୍ନ ଭଣ୍ଡାର ଓ ଆଡଭୋକେଟ ଜେନେରାଲ ନିଯୁକ୍ତିକୁ ନେଇ ଭେଟରାନ ବିଜୟ ମହାପାତ୍ର ନୂଆ ବିଜେପି ସରକାର ର ଅପାରଗତା ଓ ଅପରିପକ୍ୱତାକୁ ପଦାରେ ପକାଇଦେଇଥିବା ଚର୍ଚ୍ଚା ହେଉଛି । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା କହି ବିଜେପି ସରକାରକୁ ଅଡ଼ୁଆରେ ପକାଇ ଦେଇଛନ୍ତି । ଯଦି ରତ୍ନଭଣ୍ଡାର ଖୋଲିବାରେ କିଛି ବି ବ୍ୟାଘାତ ହୁଏ ତେବେ ବିଜୟ ମହାପାତ୍ରଙ୍କ କଥାକୁ ବିରୋଧୀ ଅସ୍ତ୍ର କରି ସରକାରକୁ ଘେରିବା ଆରମ୍ଭ କରିଦେବେ । ଆଉ ଏହି ଗୋଟିଏ ପ୍ରସଙ୍ଗ ବର୍ଷ ତମାମ ବିଜେପିକୁ ଅଣନିଶ୍ୱାସୀ କରିବ । ତେବେ ବିଜୟ ଏମିତି କଣ କହିଲେ ତାକୁ ନେଇ ଆଜିର ଏହି ତର୍ଜମା । ନମସ୍କାର ମୁଁ ସତ୍ୟବ୍ରତ ଆପଣ ମୋ ସହ ଦେଖୁଛନ୍ତି ତର୍ଜମା ।ରତ୍ନ ଭଣ୍ଡାର ଖୋଲିବା ପାଇଁ ଗଠିତ ହୋଇଥିବା ନୂଆ କମିଟି ପାଖରେ ପୂର୍ଣ୍ଣ ତଥ୍ୟ ଅଛି କି ନାହିଁ ସେ ନେଇ ବିଜୟ ପ୍ରଶ୍ନ କରିଛନ୍ତି । ଏମିତି ପ୍ରଶ୍ନ କରିବା ପଛର କାରଣଟି ହେଉଛି ଯେଉଁ ଚାବି ପାଇଁ ଦୀର୍ଘ ବର୍ଷ ଧରି ଓଡ଼ିଶାରେ ରାଜନୀତି ସରଗରମ । ସେ ଚାବି ମନ୍ଦିର ପ୍ରଶାସନ ନୂଆ କମିଟିକୁ ଦେଇଛନ୍ତି କି ? ମନ୍ଦିର ପ୍ରଶାସନ ଚାବି ଦେଲେ କି ନାହିଁ ସେ ନେଇ ନୂଆ କମିଟି ଜନସାଧାରଣଙ୍କ ନିକଟରେ ତଥ୍ୟ ରଖିବା ଦରକାର । ଚାବି ହଜିବା, ମିଳିବା, ଆଉ ଏବେ ସେ ଚାବି ନ ଖୋଲିଲେ ଭଙ୍ଗାଯିବ ବୋଲି କହିବା ପୂର୍ବରୁ ମିଳିଥିବା ଚାବି ବିଷୟରେ ଓଡ଼ିଶାବାସୀ ଜାଣିବା ଦରକାର । କିନ୍ତୁ ସେହି ଦିଗଟିକୁ ଲୁଚାଇବା ପଛରେ କି ରହସ୍ୟ ରହିଛି । ପୂର୍ବରୁ ଜଷ୍ଟିସ ରଘୁବର ଦାସଙ୍କ ଦ୍ଵାରା ଗଠିତ କମିଟି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲେ ତାହା ଏ ଯାଏଁ ସାର୍ବଜନୀନ ହେଉ ନାହିଁ କାହିଁକି ? ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଜଷ୍ଟିସ ଦାସଙ୍କ କମିଟି ରିପୋର୍ଟ ଅଧ୍ୟୟନ କରିବା ଆବଶ୍ୟକ ନ ଥିଲା କି ? କାରଣ ସେଥିରେ ବିସ୍ତୃତ ବିବରଣୀ ଥିବ । ଚାବି ସମ୍ପର୍କରେ ବି ତଥ୍ୟ ଉଲ୍ଲେଖ ଥିବ । ଏସବୁ ଦିଗ ବିଷୟରେ ଯେତେବେଳେ ଓଡ଼ିଶାବାସୀ ଜାଣିପାରୁନାହାନ୍ତି ତେଣୁ ପୂର୍ବ ସରକାର ପରି ଏବେର ନୂଆ ବିଜେପି ସରକାର ବି ବାଟବଣା ହେଉଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର । କେବଳ ରତ୍ନଭଣ୍ଡାର ପ୍ରସଙ୍ଗ ନୁହେଁ ଆଡଭୋକେଟ୍ ଜେନେରାଲ ନିଯୁକ୍ତିରେ ବିଳମ୍ବକୁ ନେଇ ବି ନୂଆ ସରକାର ବିବାଦ ଭିତରେ ଛନ୍ଦି ହେଲେଣି । ନୂଆ ସରକାରକୁ ଏକ ମାସ ବିତିଥିଲେ ବି ଆଡଭୋକେଟ ଜେନେରାଲ ନିଯୁକ୍ତି ନ କରି ପାରିବା ନୂଆ ସରକାରର ଅପାରଗତା ନା ଏହା ଭିତରେ ଆଉ କିଛି ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ଚାଲିଛି । ଏସବୁ ଭିତରେ ଆରମ୍ଭରୁ ଏ ସରକାର ଝୁଣ୍ଟୁ ଥିବା କୁହାଯାଉଛି । ତେବେ ବିଜୟଙ୍କ ବକ୍ତବ୍ୟ ରେ ବିଜେପି କେତେ ଘାଇଲା ତାହା ଏହି ଦୁଇଟି ପ୍ରସଙ୍ଗରେ ଆଗକୁ ସରକାର କି ପଦକ୍ଷେପ ନେଉଛନ୍ତି ସେଥିରୁ ସ୍ପଷ୍ଟ ହେବ ।